ସାତକୋଶିଆରେ ପୁଣି ଗର୍ଜିଲା ବନ୍ଧୁକ : ‘କାହ୍ନା’ ମହାବଳକୁ ବିପଦ

ଅନୁଗୁଳ/ବନ୍ତଳା : ଏନ୍‌ଟିସିଏ ଆଗରେ ମୁହଁ ଫୁଟାଣି ମାରିଲା ବନ ବିଭାଗ। ସାତକୋଶିଆରେ ଆଉ ପ୍ରାୟ ଜନ୍ତୁ ଶିକାର ହେଉନି। ଅତୀତରେ ଯେଉଁ ଶିକାର ପାଇଁ ସାତକୋଶିଆରେ ମହାବଳ ବଂଶ ଧ୍ୱଂସ ମୁହଁକୁ ଠେଲି ହୋଇଗଲା, ତାର ପୁନରାବୃତ୍ତି ହେବ ନାହିଁ। କିନ୍ତୁ ସୁଦୂର ‘କାହ୍ନା’ ଜାତୀୟ ଉଦ୍ୟାନରୁ ସାତକୋଶିଆ ଆସିଥିବା ମହାବଳ ଏନ୍‌କ୍ଲୋଜର ମଧ୍ୟରୁ ପଦାକୁ ବାହାରି ନାହିଁ, ଜଙ୍ଗଲରେ ମଙ୍ଗଳବାର ରାତିରେ ଫୁଟିଛି ଗୁଳି। ହିଂସ୍ର ହୋଇଛନ୍ତି ଶିକାରୀ। ଏକ ମାଈ ସମ୍ବରକୁ ମାରି ବନ ବିଭାଗକୁ ଖୋଲା ଚାଲେଂଜ ଦେଇଛନ୍ତି।

ସାତକୋଶିଆ ଅଭୟାରଣ୍ୟ ଟିକରପଡ଼ା ରେଞ୍ଜ୍‌ ମଝିପଡ଼ା ସେକ୍ସନ କମ୍ପାଣ୍ଟ୍‌ମେଣ୍ଟ୍‌-୧ରେ ଗତ ରାତିରେ ଶିକାରୀମାନେ ଦଳ ଦଳ ହୋଇ ପଶିଥିଲେ। ରାତାରାତି ଗୁଳିମାରି ଏକ ମାଈ ସମ୍ବରକୁ ଶିକାର କରିଥିଲେ। ଗୁଳି ଫୁଟିବା ଶବ୍ଦ ଶୁଣି ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ୪ଜଣ ଶିକାରୀ ସେଠାରୁ ଫେରାର୍‌ ହୋଇଯାଇଥିବା ଜଣାପଡ଼ିଛି। ତିନି ଜଣଙ୍କୁ ବନ ବିଭାଗ ଗିରଫ କରିଛି। ମୃତ ସମ୍ବରକୁ ମଧ୍ୟ ଜବତ କରାଯାଇଛି। ଗିରଫ ଶିକାରୀମାନେ ହେଲେ ବିପ୍ରଡିହର ଅଶୋକ ନାଏକ, ଅକ୍ଷୟ ନାଏକ ଓ ଠାକୁରଗଡ଼ ଇଲାକାର ଲକ୍ଷ୍ମଣ ଭୋଇ। ବନ୍ଧୁକ କିନ୍ତୁ ଜବତ ହୋଇ ପାରିନାହିଁ। ଏନ୍‌କ୍ଲୋଜରରୁ ‘କାହ୍ନା’ ମହାବଳ ମୁକୁଳିବା ପୂର୍ବରୁ ଯଦି ସାତକୋଶିଆ ଜଙ୍ଗଲରେ ଅବାଧରେ ଗୁଳି ଫୁଟି ପାରୁଛି, ତେବେ ମହାବଳ ଜଙ୍ଗଲରେ ବୁଲିବା ପରେ ଅବସ୍ଥା କ’ଣ ହେବ ସେହି ଆଶଙ୍କା ଏବେ ପରିବେଶବିତ୍‌କୁ ଚିନ୍ତାରେ ପକାଇଛି। ଶିକାର ଘଟଣାକୁ ସାତକୋଶିଆର କ୍ଷେତ୍ର ନିର୍ଦେଶକ ଡ. ସୁଦର୍ଶନ ପଣ୍ଡା ସ୍ୱୀକାର କରିଛନ୍ତି।

ସମ୍ବନ୍ଧିତ ଖବର