ଚିଲିକା ଉପକୂଳରେ ବେଧଡ଼କ ଭାବେ ଚାଲିଛି ପକ୍ଷୀ ଶିକାର : ଶିକାରୀମାନେ ଫାଶରେ ମରାଯାଇଥିବା ପକ୍ଷୀ ଗୋଟା ପିଛା ୭୦ ଟଙ୍କା ଏବଂ ବିଷରେ ମରାଯାଇଥିବା ପକ୍ଷୀ ୩୦ ଟଙ୍କାରେ ବଜାରରେ ଆଣି ବିକ୍ରି କରୁଛନ୍ତି

ବ୍ରହ୍ମଗିରି : ଥଣ୍ତାର ପ୍ରକୋପ ବଢ଼ୁଛି। ଫଳରେ ଚିଲିକାକୁ ବିଦେଶାଗତ ଅତିଥି ପକ୍ଷୀଙ୍କ ସମାଗମ ବଢ଼ିବାରେ ଲାଗିଛି। ଚିଲିକାରେ ବର୍ତ୍ତମାନ ୮ ଲକ୍ଷରୁ ଅଧିକ ବିଦେଶାଗତ ଅତିଥି ପକ୍ଷୀଙ୍କ ସମାଗମ ହୋଇଛି। ସେମାନଙ୍କ ମଧ୍ୟରୁ ଲକ୍ଷାଧିକ ବିଦେଶାଗତ ଅତିଥି ପକ୍ଷୀ ଗାଁ ଗହଳିରେ ଥିବା ପୋଖରୀ, ସର, ଧାନ କ୍ଷେତରେ ଆସି ରହୁଛନ୍ତି। ବିଶେଷ କରି ଚିଲିକା ଉପକୂଳରେ ଥିବା ବ୍ରହ୍ମଗିରି ରେଞ୍ଜ୍‌ରେ ବିଦେଶାଗତ ଅତିଥି ପକ୍ଷୀଙ୍କୁ ବହୁ ପରିମାଣରେ ଖାଦ୍ୟ ଅନ୍ବେଷଣରେ ଆସୁଥିବା ଦେଖିବାକୁ ମିଳିଛି। ଖଜୁରିଆ, ଘଟକୁଡ଼ି, ଗୋଲରା, କ୍ଷେତାଣ୍ତି, ନାଣ୍ତିପୁର, ବାସନପୁର, ବ୍ରହ୍ମଗିରି-କୁସୁବେଣ୍ଟି ରାସ୍ତା କଡ଼, ବ୍ରହ୍ମଗିରି-ଡେଲାଙ୍ଗ ରାସ୍ତା କଡ଼, କରିମପୁର ଆଦି ଅଞ୍ଚଳରେ ବିଦେଶାଗତ ଅତିଥି ପକ୍ଷୀ ଭିଡ଼ ଜମାଇଛନ୍ତି। ସୁନାମୁହିଁ, ବ୍ରହ୍ମଗିରି ଓ ବାଲିହରଚଣ୍ତି ଆଦି ୩ ଟି ରେଞ୍ଜ୍‌ ସମେତ ବିଟ୍ ହାଉସ୍‌ ଅଞ୍ଚଳରେ ଏମାନଙ୍କର ଭିଡ଼ ଲାଗିଛି। ଏମାନଙ୍କ ଭିଡ଼କୁ ଦେଖି ଶିକାରୀମାନେ ଏବେ ପ୍ଲୋରାଡିନ୍‌ ନାମକ କୀଟନାଶକ ଅଟାଗୁଳାରେ ମିଶାଇ ପକ୍ଷୀ ଶିକାର କରୁଛନ୍ତି। ଅନେକ ମୃତ ପକ୍ଷୀଙ୍କୁ ଗୋଟାଇ ଆଣୁଥିବା ବେଳେ ଅନେକ ମରି ଏଣେ ତେଣେ ପଡ଼ୁଛନ୍ତି।

thebetterindia.com

ବିଷ ଦ୍ୱାରା ମରିଥିବା ବିଦେଶାଗତ ଅତିଥି ପକ୍ଷୀଙ୍କୁ ଶିକାରୀମାନେ ବଜାରରେ ଆଣି ବିକ୍ରି କରୁଛନ୍ତି। ବିଷ ଦ୍ୱାରା ମରୁଥିବା ପକ୍ଷୀକୁ ଶିକାରୀମାନେ ଗୋଟା ୩୦ ଟଙ୍କାରେ ବିକ୍ରି କରୁଛନ୍ତି। ତେବେ ପ୍ରବଳ କୁହୁଡ଼ି ପଡ଼ୁଥିବାରୁ ଶିକାରୀମାନେ କୁହୁଡ଼ିର ଫାଇଦା ନେଇ ଧାନକ୍ଷେତରେ ଛକି ରହୁଛନ୍ତି। ବିଦେଶାଗତ ଅତିଥି ପକ୍ଷୀ କ୍ଷେତରେ ବସିବା ମାତ୍ରେ ପୂର୍ବରୁ ବସାଇଥିବା ଫାଶ ଜାଲରେ ପଡ଼ିବା ମାତ୍ରେ ପିଟି ମାରୁଛନ୍ତି। ପିଟି ମାରିଥିବା ପକ୍ଷୀମାନଙ୍କୁ ଶିକାରୀମାନେ ଗୋଟା ପିଛା ୭୦ ଟଙ୍କାରେ ବିକ୍ରି କରୁଥିବା ଜଣାପଡ଼ିଛି। ବନ ବିଭାଗର କହିବା କଥା ହେଲା, ପାଟ୍ରୋଲିଂ ଜୋର୍‌ଦାର୍‌ ଚାଲିଛି। ବିଦେଶାଗତ ଅତିଥି ପକ୍ଷୀଙ୍କ ସୁରକ୍ଷା କଡ଼ାକଡ଼ି କରାଯାଉଛି। ଶିକାରୀ ଓ ଶିକାର ଉପରେ ନଜର ରଖା ଯାଇଛି। କିନ୍ତୁ ଏ ସବୁକୁ ଭେଦ କରି ବ୍ରହ୍ମଗିରି ରେଞ୍ଜ୍‌ ଅଞ୍ଚଳରେ ଶିକାରୀମାନେ ଶିକାର ଜୋର୍‌ଦାର୍‌ ଚଳାଇଛନ୍ତି।

ସମ୍ବନ୍ଧିତ ଖବର