ଦଶପଲ୍ଲା: ଦଶପଲ୍ଲା ବନାଞ୍ଚଳରେ ୨୦୧୫ ମସିହାରେ ଘଟିଥିବା ନଈବଣିଆ ହାତୀମୃତ୍ୟୁ ଘଟଣା ମନରୁ ନ ଲିଭୁଣୁ ପୁଣି ଏକ ଦନ୍ତାହାତୀ ଶିକାର ହୋଇଛି। ଦୀର୍ଘ ପ୍ରାୟ ୮ ବର୍ଷ ପରେ ଦେଖିବାକୁ ମିଳିଛି ହାତୀ ଶିକାରର ପୁନରାବୃତ୍ତି। ଶିକାରୀମାନେ ବିଦ୍ୟୁତ୍ ଫାଶରେ ଏକ ବଡ଼ ଦନ୍ତାକୁ ଶିକାର କରି ଦାନ୍ତ କାଟି ନେଇଛନ୍ତି। ପ୍ରାୟ ୧୫ ଦିନ ହେବ ପାହାଡ଼ ଉପରେ ଦନ୍ତାହାତୀର ମୃତଦେହ ପଚିସଢ଼ି ପଡ଼ି ରହିଛି। ଦଶପଲ୍ଲା ବନାଞ୍ଚଳର ଟାକରା ସେକ୍ସନ ଅଧୀନସ୍ଥ ବାଇଶୀପଲ୍ଲୀ ଏକ୍ସଟେନ୍ସନ–୨ ବା ଦୁର୍ଗାପ୍ରସାଦ ନିକଟସ୍ଥ ବିଲୁଆପଡ଼ା ଘାଟିରୁ ଦନ୍ତାହାତୀର ଗଳିତ ମୃତଦେହକୁ ଖବରପାଇ ବନବିଭାଗ ଠାବ କରିବା ପରେ ଏବେ ବିଭିନ୍ନ ଦିଗରୁ ଘଟଣାର ତଦନ୍ତ ଚଳାଇଛି। ଉକ୍ତ ଅଞ୍ଚଳରେ ହାତୀଙ୍କ ଗତିବିଧି ରହୁନଥିବା ବେଳେ ଶିକାରୀମାନେ ବାର୍‌ହା ଶିକାର ପାଇଁ ବସାଇଥିବା ବିଦ୍ୟୁତ୍ ଫାଶରେ ପଡ଼ି ହାତୀର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଆକଳନ କରାଯାଉଥିବା ବନଖଣ୍ତ ଅଧିକାରୀ କ୍ଷମା ଷଡ଼ଙ୍ଗୀ କହିଛନ୍ତି।

Advertisment

ଦଶପଲ୍ଲା ବନାଞ୍ଚଳକୁ ମାଫିଆ ଓ ଶିକାରୀମାନେ ପୂରା କବ୍‌ଜା କରି ନେଇଛନ୍ତି। ରାତିହେଲେ ସେକ୍ସନ ଓ ବିଟ୍ ହାଉସ୍‌ଗୁଡ଼ିକ ଖାଁଖାଁ ପାଲଟୁଥିବା ବେଳେ ଘଞ୍ଚ ଜଙ୍ଗଲର ଛାତି ଉପରେ ନିଜର ଆଧିପତ୍ୟ ବିସ୍ତାର କରୁଛନ୍ତି ଶିକାରୀ। ନିଶାର୍ଦ୍ଧରେ ଢୋଢା କରି ଘଞ୍ଚ ଜଙ୍ଗଲରେ ଗଜୁର୍ଛି ବନ୍ଧୁକ। କିଛି ମାସ ମଧ୍ୟରେ ଏସ୍‌ଟିଏଫ୍ ଏବଂ ବନବିଭାଗ ଲଗାତାର ଭାବେ ଦଶପଲ୍ଲାରୁ ବାଘଛାଲଠାରୁ ଆରମ୍ଭକରି ବଜ୍ରକାପ୍ତା କାତି, କୁଟୁରା ଶିଙ୍ଘ, ବାର୍‌ହା ମାଂସ, ଦେଶୀ ବନ୍ଧୁକ ସମେତ ବିଭିନ୍ନ ମାରଣାସ୍ତ୍ର ଜବତ କରୁଛି। ହେଲେ ଏହି ହାତୀ ଶିକାର ଘଟଣା ଗତ ୨୩ ତାରିଖ ଦିନ ଜଣାପଡ଼ିଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ଶିକାରୀଙ୍କୁ ଚିହ୍ନଟ କରାଯିବା ପରେ ୨ଟି ହାତୀ ଦାନ୍ତ ଏବଂ ବିଦ୍ୟୁତ୍ ଫାଶକୁ ଜବତ କରାଯିବା ସହ ୪ ଜଣଙ୍କୁ ଗିରଫ କରାଯାଇ ଅଧିକ ତଦନ୍ତ ଚାଲିଥିବା ବନଖଣ୍ତ ଅଧିକାରୀ କହିଛନ୍ତି। ଏଥି ସହିତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ଆଜି ହାତୀର ଗଳିତ ମୃତଦେହ ପାଖରେ ବନଖଣ୍ତ ଅଧିକାରୀଙ୍କ ସମେତ ଡିସିଏଫ୍ ଗଜାନନ ଲାଡ଼େ, ସାତକୋଶିଆ ବନ୍ୟପ୍ରାଣୀ ବିଭାଗର ବିଭିଓ କିଶୋର ସାହୁ, ବିଦ୍ୟୁତ୍ ବିଭାଗର ଅଧିକାରୀ ପ୍ରମୁଖ ପହଞ୍ଚି ତଦନ୍ତ ଚଳାଇଛନ୍ତି।