୪ରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ

ଭୁବନେଶ୍ବର : ନଭେମ୍ବର ୪ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଉତ୍ତର ସୁମାତ୍ରା ନିକଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରାୟ ସେହି ସ୍ଥାନରେ ୨ରୁ ୩ଦିନ ରହିବ। ବିଷୁବରେଖାର ନିକଟ ହେତୁ ଘନୀଭୂତ ହେବାରେ ବିଳମ୍ବ ହେବ। ଉତ୍ତର-ପଶ୍ଚିମରେ ଗତି କରି ୭ତାରିଖ ସୁଦ୍ଧା ଲଘୁଚାପ ହୋଇପାରେ। କେତେକ ମଡେଲ୍‌ରୁ ଜଣାପଡ଼ୁଛି, ଏହା ଘନୀଭୂତ ହୋଇ ଦେଶର ପୂର୍ବ ଉପକୂଳକୁ ପ୍ରଭାବିତ କରିବ। ତେବେ କେତେ ଘନୀଭୂତ ହେବ ଓ ଗତିପଥ କ’ଣ ରହିବ, ଲଘୁଚାପ ସୃଷ୍ଟି ପରେ ହିଁ ତାହା ସ୍ପଷ୍ଟ ହେବ ବୋଲି ପାଣିପାଗ ବିଶେଷଜ୍ଞ ଡ. ସୁ‌ରେନ୍ଦ୍ରନାଥ ପଶୁପାଳକ କହିଛନ୍ତି।

ଅନ୍ୟପକ୍ଷରେ, କାର୍ତ୍ତିକ ପୂର୍ଣ୍ଣିମା ଯାଏ ରାଜ୍ୟ‌ରେ ବିଶେଷ ଶୀତ ହେବାର ସମ୍ଭାବନା ନାହିଁ। ଗତ ୨୪ ଘଣ୍ଟାରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ଦିନ ତାପମାତ୍ରା ସ୍ବାଭାବିକଠାରୁ କମ୍‌ ରହିଥିଲା। କିନ୍ତୁ ଦକ୍ଷିଣ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଉପକୂଳ ଓଡ଼ିଶାର ରାତି ତାପମାତ୍ରା ସ୍ବାଭାବିକଠାରୁ କମ୍‌ ରହିଛି। ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରା ଏହିଭଳି ଜାରି ରହିବ। ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନ‌ା ନାହିଁ। ତେବେ ଆସନ୍ତାକାଲି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ସକାଳୁ ପାଗ କୁହୁଡ଼ିଆ ରହିବ। ଦିନର ସର୍ବୋଚ୍ଚ ତାପମାତ୍ରା ୩୧ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୧୯ ଡିଗ୍ରି ମଧ୍ୟରେ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର