ବଧୂହତ୍ୟା ମାମଲାରେ ସ୍ବାମୀ ଓ ଦେଡ଼ଶୁରଙ୍କୁ ଆଜୀବନ କାରାଦଣ୍ଡ

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ହେମନ୍ତ କୁମାର ସେଠୀଙ୍କ ଅଦାଲତରେ ଆଜି ଏକ ବଧୂହତ୍ୟା ମାମଲାର ରାୟ  ପ୍ରକାଶ ପାଇଛି। ଏହି ଘଟଣାରେ ମୃତା ମଧୁସ୍ମିତା ଦାଶଙ୍କ ସ୍ଵାମୀ ପୂର୍ଣ୍ଣଚନ୍ଦ୍ର ଦାଶ ଏବଂ ଦେଡ଼ଶୁର ଗଣେଶ ଦାଶଙ୍କୁ କୋର୍ଟ ଆଜୀବନ କାରାଦଣ୍ଡ ଶୁଣାଇଥିବା ବେଳେ ଅନ୍ୟଜଣେ ଦେଡ଼ଶୁର ସୁବାସ ଦାଶ ଏବଂ ଦୁଇଜଣ ଯା’ ସନ୍ତୋଷିନୀ ଦାଶ ଓ ସୁଜାତା ଦାଶଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଦୋଷୀ ସାବ୍ୟସ୍ତ ସ୍ବାମୀ ଓ ଦେଡ଼ଶୁରଙ୍କୁ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି। ଜରିମାନା ଆନାଦେୟ ସ୍ଥଳେ ଅଧିକ ଦୁଇବର୍ଷ କାରାଦଣ୍ଡ ଭୋଗିବା ନେଇ ବିଚାରପତି ତାଙ୍କ ରାୟରେ ଦର୍ଶାଇଥିବା ସରକାରୀ ଓକିଲ ଶରତ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଗତ ୨୦୧୭ ସେପ୍ଟେମ୍ବର ୨୪ ତାରିଖ ସନ୍ଧ୍ୟାରେ ଜଗନ୍ନାଥ ବିହାର ସ୍ଥିତ ଏକ ଘରେ ଜଣେ ମଧୁସ୍ମିତାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା ଖବର ସାରା ସହରରେ ଚର୍ଚ୍ଚାର ବିଷୟ ହୋଇଥିଲା। ଖବର ପାଇ ପୁଲିସ ପହଞ୍ଚି ମୃତଦେହ ଜବତ କରିଥିଲା। ଏହା ପରଦିନ ସକାଳୁ ବାପଘର ଲୋକେ ପହଞ୍ଚି ଏହା ଏକ ଯୌତୁକଜନିତ ହତ୍ୟାକାଣ୍ଡ ଏବଂ ଏହାକୁ ଆତ୍ମହତ୍ୟାର ରୂପ ଦିଆ ଯାଉଥିବା ଅଭିଯୋଗ କରିଥିଲେ। ଫଳରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ସ୍ବାମୀ ପୂର୍ଣ୍ଣଚନ୍ଦ୍ର, ଦେଡ଼ଶୁର ଗଣେଶ ଏବଂ ସୁବାସଙ୍କୁ ଗିରଫ କରିଥିବା ବେଳେ ଦୁଇଜଣ ଯା’ଙ୍କୁ ଗିରଫ କରିବାରେ ବିଫଳ ହୋଇଥିଲେ। ପରବର୍ତ୍ତୀ ସମୟରେ ଜାମିନରେ ସୁବାସ ମୁକୁଳିଥିଲେ ମଧ୍ୟ ସ୍ବାମୀ ପୂର୍ଣ୍ଣଚନ୍ଦ୍ର ଓ ଗଣେଶ ଜେଲ୍‌ରେ ଥିଲେ। ଘଟଣାର ସାଢେ ୩ବର୍ଷ ପରେ ଆଜି ଏହାର ରାୟ ପ୍ରକାଶ ପାଇଛି।
ସମ୍ବନ୍ଧିତ ଖବର