ମୁଦ୍ରା ଯୋଜନାରେ ଋଣ ଦେବାକୁ କହି ଠକୁଥିଲେ, ଗିରଫ ହେଲେ ଚତୁର ସ୍ବାମୀ-ସ୍ତ୍ରୀ

ଝାରସୁଗୁଡ଼ା: ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ସହଜ ଋଣ ଯୋଗାଇଦେବାକୁ କହି ଗ୍ରାମାଞ୍ଚଳରେ ମହିଳାଙ୍କ ଠାରୁ ପଞ୍ଜିକରଣ ଓ ବୀମା ନାମରେ ଟଙ୍କା ଠକି ନେଉଥିବା ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଏଥିରେ ସଂପୃକ୍ତ ସ୍ବାମୀ-ସ୍ତ୍ରୀ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ନେଇ ଝାରସୁଗୁଡ଼ା ଏସ୍ପି ରାହୁଲ ଜୈନ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗିରଫ ମାନେ ହେଲେ ଭିମରାଜ ସୋନି(୪୦) ଓ ତାଙ୍କ ସ୍ତ୍ରୀ ସୁଜାତା ପଟେଲ (୩୫) । ଉଭୟଙ୍କ ଘର ସମ୍ବଲପୁର ଜିଲ୍ଲା କୁଚିଣ୍ଡା ମନ୍ଦିର ଛକରେ ହୋଇଥିବା ବେଳେ ତାଙ୍କୁ ଝାରସୁଗୁଡ଼ା ବଢ଼େଇମୁଣ୍ଡା ଏକ ଭଡ଼ାଘରୁ ପୁଲିସ ଗିରଫ କରିଥିବାଏସ୍‌ପି ଶ୍ରୀ ଜୈନ କହିଛନ୍ତି।

ବିବରଣୀରୁ ପ୍ରକାଶ ଯେ, ଜଣେମହିଳା ସୁଜାତା ପଟେଲ ନିଜକୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ଫିଲ୍ଡ ଅଫିର କହି ବିଭିନ୍ନ ଗ୍ରାମକୁ ଯାଇ ସେଠାରେ ଥିବା ମହିଳା ଏସ୍ଏଚଜି ଗ୍ରୁପର ସଦସ୍ୟାମାନଙ୍କୁ ଭେଟି ତାଙ୍କୁ ମାତ୍ର ୧ ପ୍ରତିଶତ ସୁଧରେ ଋଣ କରି ଦେବାକୁ ପ୍ରବର୍ତ୍ତାଉ ଥିଲେ। ଏଥିପାଇଁ ମହିଳାମାନଙ୍କୁ ୪୦ ହଜାର ଋଣ ପାଇଁ ୩୩୦ ଟଙ୍କା ଓ ୮୦ ହଜାର ଋଣ ପାଇଁ ୬୬୦ ଟଙ୍କା ପ୍ରୋସେସିଂ ଫି ବାବଦରେ ଡିପୋଜିଟ ନେଇଥିଲେ। ଏହି ଟଙ୍କା ସେମାନେ ଫୋନ୍‌ ପେ’ ଓ ଗୁଗୁଲ ପେ’ରେ ନେଇଥିଲେ। ଏହାର କିଛି ଦିନ ପରେ ଉକ୍ତ ମହିଳା ୪୦ ହଜାର ଋଣ ନେଉଥିବା ମହିଳାଙ୍କ ଠାରୁ ୧୫୫୦ ଟଙ୍କା ଓ ୮୦ ହଜାର ଋଣ ନେଉଥିବା ମହିଳାଙ୍କ ଠାରୁ ୩୧୦୦ ଟଙ୍କା ବୀମାରାଶି ବାବଦରେ ସଂଗ୍ରହ କରିଥିଲେ। ପରେ ଋଣ ପାଇଁ ଆବେଦନ କରିଥିବା ମହିଳାଙ୍କୁ ଝାରସୁଗୁଡ଼ା ବିଟିଏମ୍ ଅଫିସକୁ ଆସି ଟଙ୍କା ନେଇଯିବାକୁ କହିଥିଲେ।

-ଏସ୍‌ଏଚ୍‌ଜି ଗ୍ରୁପକୁ ଟାର୍ଗେଟ ସ୍ବାମୀ-ସ୍ତ୍ରୀଙ୍କ ଟାର୍ଗେଟ
-୧ ପ୍ରତିଶତ ସୁଧରେ ଋଣ ଦେବା ପାଇଁ ପ୍ରତିଶ୍ରୁତି
-୪୦ ହଜାର ଋଣ ପାଇଁ ୩୩୦ ଟଙ୍କା ପ୍ରୋସେସିଂ ଫି’
-୮୦ ହଜାର ଋଣ ପାଇଁ ୬୬୦ ଟଙ୍କା ପ୍ରୋସେସିଂ ଫି’
-ବୀମାରାଶି ପାଇଁ ଅତିରିକ୍ତ ଟଙ୍କା ନେଉଥିଲେ

ମହିଳାମାନେ ଝାରସୁଗୁଡ଼ା ଆସି ବିଟିଏମ୍ ଛକ ଠାରେ ମୁଦ୍ରା ଯୋଜନାର କୌଣସି ଅଫିସ ନଥିବା ଜାଣିବାକୁ ପାଇଥିବା ବେଳେ ସୁଜାତାଙ୍କୁ ମୋବାଇଲ ଫୋନ୍‌ ମାଧ୍ୟମରେ ଆଉ ଯୋଗାଯୋଗ ହୋଇପାରି ନଥିଲା। ଫଳରେ ମହିଳାମାନେ ଠକରେ ପଡ଼ିଥିବା ନେଇ ଜାଣିବାକୁ ପାଇଥିଲେ ଓ ଏ ସଂପର୍କରେ ପୁଲିସର ଦ୍ବାରାସ୍ତ ହୋଇଥିଲେ । ଏ ନେଇ କୋଲାବିରା ଥାନାରେ ସିରିଆପାଲି ଗ୍ରାମର ଦିପିକା ସିଂହ ଓ ଲଇକେରା ଥାନାରେ ଗୁଡ଼ିଗାଁର ନଳିନି ପଟେଲ ପୃଥକ ପୃଥକ ଅଭିଯୋଗ କରିଥିଲେ । ଉଭୟ ଥାନା ପକ୍ଷରୁ ମାମଲା ରୁଜୁ କରାଯାଇଥିଲା। ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ କେଲାବିରା ଥାନା ଅଧିକାରୀ ଏସ୍. ତ୍ରିପାଠୀ ଓ ଲଇକେରା ଥାନା ଅଧିକାରୀ ପି.କେ. ତ୍ରିପାଠୀଙ୍କ ନେତୃତ୍ବରେ ସାଇବର ଟିମ୍ ସହାୟତାରେ ତଦନ୍ତ କରାଯାଇ ଅଭିଯୁକ୍ତ ସ୍ବାମୀ-ସ୍ତ୍ରୀଙ୍କୁ ଗିରଫ କରାଯାଇ ତାଙ୍କ ଠାରୁ ମିଥ୍ୟା ଋଣ ମଞ୍ଜୁର ପ୍ରମାଣପତ୍ର, ପାସବୁକ, ଆଧାର କାର୍ଡ଼, ଭୋଟର କାର୍ଡ଼ ପ୍ରଭୃତି ଜବତ କରାଯାଇଛି। ଏ ନେଇ ଅଧିକ ତଦନ୍ତ ଜାରି ରହିଥିବା ଜଣାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଉଭୟ ଆଇଆଇସି ଓ ଝାରସୁଗୁଡ଼ା ଏସ୍‌ଡିପିଓ ନିର୍ମଳ ମହାପାତ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର