ପୋଙ୍ଗଲ ପାଳିବାକୁ ଓଡ଼ିଶା ଫେରୁଥିଲେ; ଦୁର୍ଘଟଣାରେ ଦମ୍ପତି ମୃତ, ପୁଅ ଅଳ୍ପକେ ବର୍ତିଲେ 

ତେନ୍ତୁଳିଖୁଣ୍ଟି/ମାଲକାନଗିରି: ପୋଙ୍ଗଲ ପାଳିବାକୁ ନିଜ ଗାଁକୁ ଫେରୁଥିବା ସମୟରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବାପା, ମା’ଙ୍କ ମୃତ୍ୟ ହୋଇଥିବା ବେଳେ ପୁଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଦୁର୍ଘଟଣାଟି ଘଟିଛି ମାଲକାନଗିରି ଜିଲ୍ଲା ମୋଟୁ ଅନ୍ତର୍ଗତ ଚିଣ୍ଟୁର ନିକଟରେ। ଉଭୟ ସ୍ୱାମୀ ଓ ସ୍ତ୍ରୀ ତେନ୍ତୁଳିଖୁଣ୍ଟି ଗ୍ରାମର ହୋଇଥିବା ବେଳେ ଏହି ଖବର ପ୍ରଚାର ହେବା ପରେ ସମଗ୍ର ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

ସୂଚନା ଅନୁଯାୟୀ ତେନ୍ତୁଳିଖୁଣ୍ଟି ଗ୍ରାମ ଭଞ୍ଜ ସାହିର ବି. ସତ୍ୟ ନାରାୟଣ (୫୫) ବିଜୟୱାଡାସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ମ୍ୟାନେଜର ଥିଲେ। ଆଗକୁ ପୋଙ୍ଗଲ ଥିବାରୁ ଏକ ୱାଗନର କାର ଯୋଗେ ବି.ସତ୍ୟ ନାରାୟଣ, ତାଙ୍କ ଧର୍ମ ପତ୍ନୀ ବି.ଆରତୀ (୫୦) ଏବଂ ପୁଅ ବି. ତୁଷାର କୁମାର (୨୨)ଏକ ୱାଗନର କାର ଯୋଗେ ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ଗ୍ରାମକୁ ଆସୁଥିଲେ। ବି.ସତ୍ୟ ନାରାୟଣ ଗାଡି ଚଳାଉଥିବା ବେଳେ ତାଙ୍କ ଧର୍ମ ପତ୍ନୀ ସମୁଖରେ ବସିଥିଲେ। ପୁଅ ପଛ ସିଟରେ ବସିଥିଲେ।

ଆଜି ଦିନ ସାଢ଼ ୧ଟା ସମୟରେ ଚିଣ୍ଟୁର ନିକଟରେ ଏକ ପିକଅପ-ଭ୍ୟାନ୍‌ ସହ ମୁହାଁମୁହିଁ ଧକ୍କା ହେବା ଫଳରେ ୱାଗନରର ସମ୍ମୁଖ ପଟ ଚୁରମାର ହୋଇଥିବା ବେଳେ ସ୍ୱାମୀ ସ୍ତ୍ରୀ ଆହତ ହୋଇଥିଲେ। ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଭୟଙ୍କୁ ଚିଣ୍ଟୁର ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରା ଯାଇଥିଲା।  ଚିକିତ୍ସାଧୀନ ଅବସ୍ଥାରେ ସତ୍ୟ ନାରାୟଣଙ୍କ  ମୃତ୍ୟୁ ହୋଇଥିବା ବେଳେ ଆରତୀଙ୍କୁ ଆନ୍ଧ୍ରପ୍ରଦେଶର ଭଦ୍ରାଚଲମକୁ ଅଧିକ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତରିତ କରାଯାଇଥିଲା ! ପୁଅ ତୁଷାର ମା’ଙ୍କୁ ଧରି ଭଦ୍ରାଚଲମ ନେବା ବାଟରେ ଆରତୀ ମୃତ୍ୟବରଣ କରିଥିବା ସୂଚନା ମିଳିଛି।

ପୁଅ ତୁଷାର ସାମାନ୍ୟ ଖଣ୍ଡିଆ ଖାବରା ହୋଇଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟ ବସ୍ତା ଠିକ ଥିବା ଜଣାପଡିଛି । ଏହି ଖବର ତେନ୍ତୁଳିଖୁଣ୍ଟି ରେ ପହଂଚିବା ପରେ ସମଗ୍ର ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ନବରଙ୍ଗପୁର ଜିଲ୍ଲା ଯୁବ କଂଗ୍ରେସ ସଭାପତି ଅଖିଳ ଭତରା କାଲିମେଳା ତହସିଲଦାର ଆଲୋକ କୁମାର ଅନୁଗୁଳିଆଙ୍କୁ ଦୁର୍ଘଟଣା ସମ୍ବନ୍ଧରେ ଯୋଗାଯୋଗ କରିଥିଲେ। ତହସିଲଦାର ଶ୍ରୀ ଅନୁଗୁଳିଆ ଚିଣ୍ଟୁର ଡାକ୍ତରଖାନା ରେ ପହଂଚି ବୁଝାସୁଝା କରିଥିବା ବେଳେ ଆସନ୍ତାକାଲି ଚିଣ୍ଟୁର ଡାକ୍ତରଖାନା ରେ ଶବ ବ୍ୟବଛେଦ ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର