ଆଗ ପଛେ ହୋଇ ଚାଲିଗଲେ ସ୍ବାମୀ-ସ୍ତ୍ରୀ, ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ରାଜକନିକା : ରାଜକନିକା ଅଞ୍ଚଳରେ ଦୁର୍ଘଟଣାରେ ସ୍ବାମୀଙ୍କ ମୃତ୍ୟୁ ଘଟିବାର କିଛି ଘଣ୍ଟା ପରେ ସ୍ତ୍ରୀଙ୍କ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟିଛି। ବୋହୂ ଆତ୍ମହତ୍ୟା କରିଥିବା ଶାଶୂଘର ଲୋକେ କହୁଥିବା ବେଳେ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣି ବାପଘର ଲୋକେ ଥାନାରେ ଏତଲା ଦେଇଛନ୍ତି।

ସୂଚନା ଅନୁସାରେ, ରାଜକନିକା ଥାନା ଚେରଣ୍ଟପଡ଼ା ଗ୍ରାମର ମଦନ ମୋହନ ତରାଇଙ୍କ ଏକମାତ୍ର ପୁଅ ମନୋଜ କୁମାର ତରାଇ(୩୫) ଭଦ୍ରକ ଡିଆରଡିଏରେ ଡିପିଓ ଭାବେ କାର୍ଯ୍ୟରତ ଥିଲେ। ସେ ଗତ ୨୫ ତାରିଖ ଦିନ ଭଦ୍ରକରୁ ରାଜକନିକାସ୍ଥିତ ନିଜ ଘରକୁ ଫେରୁଥିଲେ। ବାଟରେ ଚାନ୍ଦବାଲି ଥାନା ଅନ୍ତର୍ଗତ ମହୁଲିଆ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ତାଙ୍କ ମୁଣ୍ତରେ ଶକ୍ତ ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତ ୨୮ତାରିଖ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ମନୋଜଙ୍କ ମୃତ୍ୟୁ ପରେ ତାଙ୍କ ପାଖରେ ଥିବା ତାଙ୍କ ପତ୍ନୀ ସ୍ବପ୍ନାଙ୍କୁ ଆତ୍ମୀୟସ୍ବଜନମାନେ ଆଜି ସକାଳେ ଘରକୁ ପଠାଇ ଦେଇଥିଲେ। ସ୍ବପ୍ନା ଘରେ ପହଞ୍ଚି ତାଙ୍କ ଶୋଇବା ଘରେ ଭିତରପଟୁ କବାଟ ଦେଇ ଫ୍ୟାନରେ ବେଡସିଟ୍ ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ପରିବାର ଲୋକ କବାଟଭାଙ୍ଗି ତାଙ୍କୁ ଉଦ୍ଧାର କରି ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣି ଥିଲେ। ଡାକ୍ତର ତାଙ୍କୁ ସେଠାରେ ମୃତ୍ୟୁ ଘୋଷଣା କରିଥିଲେ। ଏପଟେ ଏହି ଘଟଣା ଏକ ଭିନ୍ନ ମୋଡ଼ ନେଇଛି। ମାର୍ଶାଘଇ ଥାନା ଅନ୍ତର୍ଗତ ଦଶିପୁର ଗ୍ରାମର ସ୍ବପ୍ନାଙ୍କ ସାନଭାଇ ପ୍ରସନ୍ନଜିତ୍ ମାଝୀ ରାଜକନିକା ଥାନାରେ ଏତଲା ଦେଇ ଦର୍ଶାଇଛନ୍ତି ଯେ, ତାଙ୍କ ଭଉଣୀଙ୍କୁ ଶାଶୂଘର ଲୋକ ଯୌତୁକ ନିର୍ଯାତନା ଦେଉଥିଲେ। ଅଧିକ ଯୌତୁକ ପାଇଁ ବାରମ୍ବାର ଦାବି କରୁଥିଲେ। ଭିଣୋଇ ମନୋଜଙ୍କ ଦୁର୍ଘଟଣାଜନିତ ମୃତ୍ୟୁକୁ ଦାୟୀ କରି ଭଉଣୀକୁ ହତ୍ୟା କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ପୁଲିସ ଶବ ଉଦ୍ଧାର କରି ଘଟଣାର ତଦନ୍ତ ଚଳାଇଛି। ମାତ୍ର ବର୍ଷକ ତଳେ ମନୋଜ ଓ ସ୍ବପ୍ନାଙ୍କ ବିବାହ ହୋଇଥିଲା।

ସମ୍ବନ୍ଧିତ ଖବର