ଗତକାଲି ଭାଇ ହାତରେ ରାଖୀ ବାନ୍ଧିଥିଲେ, ଆଜି ଫେରିବା ବେଳେ ସଡ଼କ ଦୁର୍ଘଟଣାରେ ସ୍ୱାମୀଙ୍କ ସହ ଜୀବନ ହାରିଲେ ଭଉଣୀ

କୁତ୍ରା: ସ୍ନେହର ରାଖୀ ଟିଏ ବାନ୍ଧିବା ପାଇଁ ଗତକାଲି ଭାଇଙ୍କ ପାଖକୁ ଆସିଥିଲେ ଭଉଣୀ। ଦିନସାରା ଖୁସିରେ ରହିବା ପରେ ଗତକାଲି ଖାଇପିଇ ଶୋଇଥିଲେ। ଆଜି ଘରକୁ ଫେରିବା ବାଟରେ ପତିଙ୍କ ସହିତ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି ଭଉଣୀ। ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସ ୱେର ଗମ୍ଭାରିଡିହି ଛକ ଠାରେ ସଡ଼କ ଦୁର୍ଘଟଣାରେ ସ୍ୱାମୀ ବାଲମୁକୁନ୍ଦ ପ୍ରଧାନଙ୍କ ସହ ମଧୁ ପ୍ରଧାନଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ ମାଲିଡିହି ରାନିପିଆରୁ ନିଜ ସ୍ୱାମୀ ସହ ସର୍ଗିଢିପାକୁ ଭାଇ ହାତରେ ସ୍ନେହର ସନ୍ତକ ରାକ୍ଷୀ ବାନ୍ଧି ମିଠା ଖୁଆଇବା ପାଇଁ ଆସିଥିଲେ ମଧୁ। ଆଜି ସ୍ୱାମୀଙ୍କ ସହିତ ମୋଟର ସାଇକେଲ (ଓଆଇ ୧୪ଭି ୯୨୬୨) ଘରକୁ ଫେରିବା ବେଳେ ଗମ୍ଭାରଡିହି ଛକଠାରେ ସୁନ୍ଦରଗଡରୁ ରାଉରକେଲା ଆଡକୁ ଯାଉଥିବା ଏକ ପିଚୁ ବୋଝେଇ ଟ୍ୟାଙ୍କର (ଓଡି ୧୪ ଭି ୯୯୦୧) ଧକ୍କା ଦେଇଥିଲା। ଦ୍ରୁତଗାମୀ ଟ୍ରକଟି ବାଇକ୍‌ ପଛପଟରୁ ଚଢିଯାଇଥିଲା। ଉଭୟ କିଛି ଜାଣିବା ପୂର୍ବରୁ ପିଚୁ ଟ୍ୟାଙ୍କର ଚକତଳେ ଚାପିହୋଇ ଘଟଣାସ୍ଥଳରେ ହିଁ ଭୟଙ୍କର ଜୀବନ ଚାଲି ଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଉଭୟଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇ ଛିଟିକି ପଡିଥିଲା।

ଦୁର୍ଘଟଣା ଖବର ପାଇ କୁତ୍ରା ପୁଲିସ ଘଟଣାସ୍ଥଳରେ ପହଞ୍ଚ ଉଭୟଙ୍କ ସବକୁ ଜବତ କରି ରାଜଗାଙ୍ଗପୁର ସବାଗାରକୁ ସବ ବ୍ୟବଚ୍ଛେଦ ପାଇଁ ପଠେଇଛନ୍ତି। ଦୁର୍ଘଟଣା ପରେ ଟ୍ୟାଙ୍କର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୁଲିସ ଦୁର୍ଘଟଣାକୁ ନେଇ ଛାନଭିନ ଆରମ୍ଭ କରିଛି। ଦୁର୍ଘଟଣାକୁ ନେଇ ଶୋକରଛାୟା ଖେଳି ଯାଇଛି।

ସମ୍ବନ୍ଧିତ ଖବର