ଯୁଯୁମୁରା : ରାଜନୀତିରେ ସବୁ କିଛି ସମ୍ଭବ ବୋଲି କୁହାଯାଏ। ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକରେ ଏଭଳି କିଛି ଦେଖିବାକୁ ମିଳିଛି। ଏଥର ଲିପିଣ୍ଡା ପଞ୍ଚାୟତର ସରପଞ୍ଚ ପଦ ପାଇଁ ପତି ଓ ପତ୍ନୀ ପରସ୍ପର ବିରୋଧରେ ନାମାଙ୍କନପତ୍ର ଦାଖଲ କରିଥିବା ଜଣାପଡ଼ିଛି। ଲିପିଣ୍ଡା ସରପଞ୍ଚ ପଦ ପାଇଁ ଏଥର ୪ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଦୁଇ ପୂର୍ବତନ ସରପଞ୍ଚ ଦୁଃଖୀଶ୍ୟାମ ବିଶ୍ବାଳ, ଅଂଜଳି ପ୍ରଧାନଙ୍କ ସହିତ ଯୁଯୁମୁରା ପଞ୍ଚାୟତ ସମିତିର ପୂର୍ବତନ ଉପାଧ୍ୟକ୍ଷ ପ୍ରଫୁଲ୍ଲ ମିର୍ଦ୍ଧା ଏବଂ ତାଙ୍କ ପତ୍ନୀ ମୁନ୍‌ମୁନ୍ ମାଝୀ ମଧ୍ୟ ଲିପିଣ୍ଡାର ସରପଞ୍ଚ ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ତେବେ, ପତି ଓ ପତ୍ନୀ ଗୋଟିଏ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବା ଏବେ ଅଂଚଳର ଚର୍ଚ୍ଚାର ବିଷୟ ହୋଇଛି।

Advertisment

ପ୍ରାପ୍ତ ସୂଚନା ଅନୁସାରେ, ପ୍ରଫୁଲ୍ଲ ମିର୍ଦ୍ଧା ୨୦୦୨ରୁ ୨୦୦୭ ମସିହା ଏବଂ ଓ ୨୦୦୭ରୁ ୨୦୧୨ ମସିହା ପର୍ଯ୍ୟନ୍ତ କ୍ରମାଗତ ଭାବେ ଦୁଇ ଥର ଲିପିଣ୍ଡା ପଞ୍ଚାୟତର ସରପଞ୍ଚ ଥିଲେ । ୨୦୧୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିକଟସ୍ଥ ଗଡ଼ଲୋଇସିଂ ପଞ୍ଚାୟତରୁ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶ୍ୱିନୀ କୁମୁରାଙ୍କୁ ୨୯୬ ଖଣ୍ଡ ଭୋଟରେ ପରାଜିତ କରିଥିଲେ। ଏଥି ସହିତ ୨୦୧୨ରୁ ୨୦୧୭ ମସିହା ପର୍ଯ୍ୟନ୍ତ ସେ ଯୁଯୁମୁରା ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ରହିଥିଲେ। ଏଥି ସହିତ ତତ୍କାଳୀନ ସମ୍ବଲପୁର ଲୋକସଭା ସାଂସଦଙ୍କ ପ୍ରତିନିଧି ଦାୟିତ୍ବ ବି ନିର୍ବାହ କରିଥିଲେ। ଏହି ସମୟରେ ତାଙ୍କ ପତ୍ନୀ ମୁନ୍‌ମୁନ୍‌ ମାଝୀ ଯୁଯୁମୁରା ବ୍ଲକ ଜିଲ୍ଲା ପରିଷଦ ଜୋନ୍ -୨ର ସଦସ୍ୟା ନିର୍ବାଚିତ ହୋଇଥିଲେ।

ବିଜେଡି ନେତା ପ୍ରଫୁଲ୍ଲ ମିର୍ଦ୍ଧାଙ୍କୁ ଉଭୟ ପତି-ପତ୍ନୀ ସରପଞ୍ଚ ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିବା ସଂପର୍କରେ ପଚାରିବାରୁ ସେ କହିଲେ, ଦଳ ତାଙ୍କୁ ଜିଲ୍ଲା ପରିଷଦ ସଦସ୍ୟ ପାଇଁ ପ୍ରାର୍ଥୀ କରାଇବାକୁ ଚାହୁଁଥିଲା। ସେ କିନ୍ତୁ ସରପଞ୍ଚ ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଯଦି, ସରପଞ୍ଚ ପଦ ପାଇଁ ଅପେକ୍ଷାକୃତ ଦୁର୍ବଳ ପ୍ରାର୍ଥୀ ଛିଡ଼ା ‌ହୋଇଥାନ୍ତେ, ସେ ନାମାଙ୍କନପତ୍ର ପ୍ରତ୍ୟାହାର କରିଥାନ୍ତେ ଏବଂ ଦଳୀୟ ଜିଲ୍ଲା ପରିଷଦ ସଦସ୍ୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାରରେ ଅଧିକ ସମୟ ଦେଇଥାନ୍ତେ। ଏପଟେ ମୁନ୍‌ମୁନ୍‌ ସରପଞ୍ଚ ନିର୍ବାଚନ ଲଢ଼ିଥାନ୍ତେ। ତେବେ, ଦୁଇ ଜଣ ପୂର୍ବତନ ସରପଞ୍ଚ ଏଥର ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବାରୁ କଡ଼ା ଟକ୍କର ହେବାକୁ ଯାଉଛି। ତେଣୁ, ମୁନ୍‌ମୁନ୍‌ ନାମାଙ୍କନପତ୍ର ପ୍ରତ୍ୟାହାର କରିବେ ଏବଂ ସେ ସରପଞ୍ଚ ପଦ ପାଇଁ ଲଢ଼ିବେ ବୋଲି ପ୍ରଫୁଲ୍ଲ କହିଛନ୍ତି।