ଝଗଡ଼ା ଲାଗି ଚଳନ୍ତା ଟ୍ରେନ୍‌ରୁ ଡେଇଁଲେ ସ୍ବାମୀ, ସ୍ତ୍ରୀ; ଶିଶୁପୁତ୍ରକୁ ଧରିପକାଇଲେ ଯୁବକ

ଡାକ୍ତରଖାନାରେ ଗୁରୁତର ପତିପତ୍ନୀ

ବାରିପଦା/କଳାବାଡ଼ିଆ: ସ୍ବାମୀ-ସ୍ତ୍ରୀ କଳିଝଗଡ଼ା ଲାଗି ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ। ତାଙ୍କ ଦେଖାଦେଖି ୬ ବର୍ଷର ପୁଅ ଟ୍ରେନ୍‌ରୁ ଡେଇଁବାକୁ ଉଦ୍ୟତ ହେବାବେଳେ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ଜଣେ ଯୁବକ ତାକୁ ଧରି ପକାଇ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିଛନ୍ତି। ଆଜି ଅପରାହ୍ନରେ ବାରିପଦା ଭଞ୍ଜପୁର ରେଳ ଷ୍ଟେସନରୁ ଅଳ୍ପ ଦୂରରେ ଘଟିଛି ଏହି ଅଭାବନୀୟ ଘଟଣା। ଗୁରୁତର ଅବସ୍ଥାରେ ପତିପତ୍ନୀଙ୍କୁ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମଙ୍ଗଳବାର ଅପରାହ୍ନ ପ୍ରାୟ ୪ଟା ୨୦ ମିନିଟ୍‌ ସମୟରେ ରୂପସା-ବାଙ୍ଗିରିପୋଷି ଡିଏମ୍‌ୟୁ ଟ୍ରେନ୍‌ ଭଞ୍ଜପୁର ଷ୍ଟେସନରେ ଆସି ପହଞ୍ଚିଥିଲା। ରବି ମୁର୍ମୁ ନାମକ ଜନୈକ ବ୍ୟକ୍ତି, ତାଙ୍କ ସ୍ତ୍ରୀ କର୍ମୀ ଓ ୬ ବର୍ଷର ପୁଅ ସହ ଟ୍ରେନ୍‌ରେ ଚଢ଼ିଥିଲେ। ଟ୍ରେନ୍‌ ଛାଡ଼ିବାର କିଛି ସମୟ ପରେ ସ୍ବାମୀ, ସ୍ତ୍ରୀଙ୍କ ମଧ୍ୟ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା।

ତେବେ କେହି କିଛି ବୁଝିବା ଆଗରୁ କବାଟ ପାଖରେ ଛିଡ଼ା ହୋଇଥିବା କର୍ମୀ ହଠାତ୍ ଚଳନ୍ତା ଟ୍ରେନ୍‌ରୁ ତଳକୁ ଡେଇଁ ପଡ଼ିଥିଲେ। ତାଙ୍କ ପରେ ପରେ ସ୍ଵାମୀ ରବି ମଧ୍ୟ ଡେଇଁ ପଡ଼ିଥିଲେ। ସେମାନଙ୍କ ଦେଖାଦେଖି ପାଖରେ ଛିଡ଼ା ହୋଇଥିବା ପୁଅଟି ମଧ୍ୟ ଡେଇଁବାକୁ ଉଦ୍ୟତ ହେଉଥିଲା। ତେବେ ଏହି ସମୟରେ ଘନଶ୍ୟାମ ହାଁସଦା ନାମକ ଜଣେ ଯୁବକ ପିଲାଟିର ହାତ ଧରି ପକାଇଥିଲେ। ସଙ୍ଗେ ସଙ୍ଗେ ଅନ୍ୟଯାତ୍ରୀମାନେ ଟ୍ରେନ୍‌ର ଚେନ୍‌ ଭିଡ଼ିଥିଲେ ବି ଗାଡ଼ି ଅଟକିନଥିଲା। ବାଙ୍ଗିରିପୋଷି ଷ୍ଟେସନ୍‌ରେ ଟ୍ରେନ୍‌ ରହିବା ପରେ ପିଲାଟିକୁ ସ୍ଥାନୀୟ ପୁଲିସ ଜିମା ଦେଇଥିଲେ ଘନଶ୍ୟାମ। ପିଲାଟିକୁ ପଚରାଉଚରା କରିବାରୁ ସେ ନିଜ ବାପା, ମାଙ୍କ ନାଁ କହିବା ସହ ତାଙ୍କ ଘର କୁଳିଅଣା ବ୍ଲକ୍‌ ବାଇଗଣବାଡ଼ିଆ ବୋଲି କହିଛି। ଟ୍ରେନ୍‌ରୁ ଡେଇଁଥିବା ସ୍ବାମୀ-ସ୍ତ୍ରୀଙ୍କୁ ବାରିପଦା ଦମକଳ କର୍ମଚାରୀ ଘଟଣାସ୍ଥଳରୁ ଉଦ୍ଧାର କରି ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି।

ସମ୍ବନ୍ଧିତ ଖବର