ଟାଙ୍ଗିଆରେ ହାଣି ସ୍ତ୍ରୀକୁ ହତ୍ୟା, ଗଛ ଉପରୁ ସ୍ବାମୀକୁ ଗିରଫ କଲା ପୁଲିିିସ

ଜୟପାଟଣା : ଘରୋଇ କଳହକୁ କେନ୍ଦ୍ର କରି ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ସ୍ବାମୀ। ଏହି ଘଟଣା ପରେ ଗଛ ଉପରୁ ଅଭିଯୁକ୍ତ ସ୍ବାମୀକୁ ଜୟପାଟଣା ଥାନା ପୁଲିସ ଉଦ୍ଧାର କରି ଗିରଫ କରିଛି।

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଧନଶୁଲି ଗାଁର ଅଗସ୍ତି ମାଝୀ ମଙ୍ଗଳପୁର ପଞ୍ଚାୟତ ଅନ୍ତର୍ଗତ କୁହୁରୀଗୁମା ଗ୍ରାମରେ ଶାଶୂ ବୈଦେହୀ ନାଏକଙ୍କ ଘରେ ଦୁଇ ବର୍ଷ ହେଲା ସପରିବାର ରହୁଥିଲା। ଗତ ଚାରି ଦିନ ହେଲା ଅଗସ୍ତି ମାନସିକ ଚିନ୍ତାରେ ରହୁଥିଲା। ରବିବାର ସକାଳ ୯ଟା ବେଳେ ଅଗସ୍ତି ଏକ ଟାଙ୍ଗିଆରେ ସ୍ତ୍ରୀ ବେଲ ମାଝୀଙ୍କ ବେକକୁ ହାଣି ଦେଇଥିଲା। ପରେ ଅଗସ୍ତି ଜୟପାଟଣା ଅଭିମୁଖେ ଆସୁଥିବା ବେଳେ ଲୋକମାନଙ୍କୁ ଦେଖି ଇନ୍ଦ୍ରାବତୀ ଯୁକ୍ତଦୁଇ କଲେଜ ସମ୍ମୁଖରେ ଥିବା ଏକ ଗଛ ଉପରକୁ ଚଢ଼ି ଯାଇଥିଲା। ଶହ ଶହ ଲୋକେ ସେଠାରେ ରୁଣ୍ଡ ହୋଇଥିଲେ। ଗଛ ଉପରୁ ଅଗସ୍ତି ଟାଙ୍ଗିଆ ଦେଖାଇ ଲୋକଙ୍କୁ ଡରାଇବାକୁ ଚେଷ୍ଟା କରୁଥିଲା। ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ତାଙ୍କୁ ବୁଝାଶୁଝା କଲା ପରେ ସେ ଟାଙ୍ଗିଆକୁ ଫିଙ୍ଗି ଅଗ୍ନିଶମ ବିଭାଗ ଦ୍ୱାରା ଲଗା ଯାଇଥିବା ସିଡ଼ିରେ ତଳକୁ ଓହ୍ଲାଇଥିଲା। ଜୟପାଟଣା ଥାନା ଅଧିକାରୀଙ୍କ ସମ୍ମୁଖରେ ଅଗସ୍ତି ନିଜ ଦୋଷ ସ୍ବୀକାର କରିଥିବା ପୁଲିସ ସୂତ୍ରରୁ ପ୍ରକାଶ। ଅନ୍ୟ‌ପଟେ ଏହି ହତ୍ୟାକାଣ୍ଡ ନିଜ ଆଖିରେ ଦେଖିଥିବା ଅଗସ୍ତିଙ୍କ ଦୁଇ ନାବାଲିକା ଝିଅ ବୈଶାଖୀ (୧୨), ସବିତା (୫) ଏବଂ ଶାଶୂ ବୈଦେହୀ ଶୋକରେ ଭାଙ୍ଗି ପଡ଼ିଛନ୍ତି।

ସମ୍ବନ୍ଧିତ ଖବର