ଝରିଗାଁ : ପାରିବାରିକ କଳହ ନେଲା ଉଗ୍ରରୂପ। ଉତ୍ତ୍ୟକ୍ତ ସ୍ବାମୀ ଘଟାଇଲା ନୃଶଂସକାଣ୍ଡ। ହିତାହିତ ଭୁଲି ଟଙ୍ଗିଆରେ ପତ୍ନୀଙ୍କୁ ଆକ୍ରମଣ କଲା। ଘଟଣାସ୍ଥଳରେ ହିଁ ପ୍ରଚୁର ରକ୍ତସ୍ରାବ ହୋଇ ଜୀବନ ହାରିଲେ ପତ୍ନୀ। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତର ଦୁର୍ଗମ କୁସୁମବାହାଲ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପୁଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, କୁସୁମବାହାଲ ଗ୍ରାମର ବୁଦୁ ଜାନୀ (୪୫) ବହୁ ବର୍ଷ ତଳେ ଦିବାଇ ଜାନୀଙ୍କୁ ବିବାହ କରିଥିଲେ। ଗତ ୨୭ତାରିଖ ସଂଧ୍ୟାରେ କୌଣସି କାରଣରୁ ଦମ୍ପତିଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ବୁଦୁ ଗୋଟିଏ ଟାଙ୍ଗିଆ ବେଣ୍ଟରେ ପତ୍ନୀ ଦିବାଇଙ୍କ ଉପରେ ବାରମ୍ବାର ଆକ୍ରମଣ କରିଥିଲେ। ଦିବାଇଙ୍କ ମୁଣ୍ଡ ପଛପଟ ଓ କାନରେ ପ୍ରବଳ ଆଘାତ ଲାଗିଥିଲା। ଧାର ଧାର ହୋଇ ରକ୍ତ ବୋହି ଚାଲିଥିଲେ ବି ବୁଦୁ ତାହାକୁ ଗୁରୁତ୍ବ ଦେଇ ନଥିଲା। ଘର ବାରଣ୍ଡାରେ ଛଟପଟ ହୋଇ ପ୍ରାଣ ହରାଇଥିଲେ ଦିବାଇ। ଘଟଣା ସଂପର୍କରେ ବୁଦୁ କାହାରିକୁ ନକହିବାରୁ ଗାଁ ଲୋକ ମଧ୍ୟ ଏନେଇ କିଛି ଜାଣିପାରି ନଥିଲେ।
ପରଦିନ ସକାଳେ ଅର୍ଥାତ ୨୮ତାରିଖ ସକାଳେ ଏନେଇ ଗ୍ରାମବାସୀ ଜାଣିବା ପରେ ଦିବାଇଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ଖବର ପାଇବା ମାତ୍ରେ ଦହଡ଼ାମାଲରେ ରହୁଥିବା ଦିବାଇଙ୍କ ପରିବାର ଲୋକ କୁସୁମବାହାଲ ଗ୍ରାମରେ ପହଞ୍ଚିଥିଲେ। ବାରଣ୍ଡାରେ ଦିବାଇଙ୍କ ଶବ ପଡ଼ିଥିବା ଦେଖି ଭାଇ ନୀଳ ଜାନୀ ଝରିଗାଁ ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ପାଇ ଝରିଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଅଭିଯୁକ୍ତ ବୁଦୁଙ୍କୁ ଗିରଫ କରି ଥାନାକୁ ନେଇଥିଲା। ଆଜି ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପଚରାଉଚୁରା କରି ଆସନ୍ତାକାଲି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଆଜି ଝରିଗାଁ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉମରକୋଟ ଏସଡିପିଓ ହେମନ୍ତ କୁମାର ପାଢ଼ୀ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/jharigoan.jpg)