ପଥର ଛେଚି ମହିଳାଙ୍କୁ ହତ୍ୟା, ଥାନାରେ ସ୍ବାମୀ ଅଟକ

ଯୋଡ଼ା : କେନ୍ଦୁଝର  ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ଜରୁଡ଼ି ସ୍ଥିତ ଲଙ୍ଗାଲୋଟା ହଟିଂରେ ଜଣେ ମହିଳାଙ୍କୁ ପଥର ଛେଚି ନିର୍ମମ ଭାବେ ହତ୍ୟା  କରାଯାଇଛି। ହତ୍ୟା ପରେ  ଶବକୁ  ନିକଟସ୍ଥ ବୁଦାରେ ଫିଙ୍ଗି ଦିଆଯାଇଥିବା ବେଳେ ଗୁରୁବାର ପୂର୍ବାହ୍ନରେ ପୁଲିସ ଏହାକୁ ଠାବ କରିଛି।   ମୃତ ମହିଳାଙ୍କ ନାମ ରତନି ମୁଣ୍ଡା (୩୫)  ବୋଲି ଜଣାପଡ଼ିଛି।

ବାମେବାରୀ ପୁଲିସର  ସୂଚନା ଅନୁଯାୟୀ, ଗତ ୬ କିମ୍ବା ୭ ତାରିଖ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତ ମହିଳା ରତନି ଏକାକୀ ଲଙ୍ଗାଲୋଟା ହଟିଂରେ ରହୁଥିଲେ। ତାଙ୍କ ସ୍ଵାମୀ ମୁଟୁ ମୁଣ୍ଡା ବଡ଼ବିଲରେ ରହି ସେଠାରେ କାର୍ଯ୍ୟ କରୁଥିଲେ। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ସନ୍ଦେହରେ ମହିଳାଙ୍କ ସ୍ଵାମୀ ମୁଟୁ ମୁଣ୍ଡାଙ୍କୁ ପୁଲିସ ଅଟକ ରଖିଛି। ମହିଳା ଜଣକ ରହୁଥିବା ଘରେ ପ୍ରବଳ ରକ୍ତ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଦୁଇଦିନ ଧରି ଖୋଜାଖୋଜି ପରେ ଲଙ୍ଗାଲୋଟା ଖେଳପଡ଼ିଆ ନିକଟରେ ବୁଦାରୁ ମୃତଦେହ ଠାବ କରିଥିଲା। ମହିଳାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଏ ନେଇ ବାମେବାରି ଥାନାରେ କେସ ନମ୍ବର ୨୧୩/୨୦୨୨ ରେ ଏକ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର