ତାଳଚେର: ତାଳଚେର କୋଲିୟରି ଥାନା ସେଣ୍ଟ୍ରାଲ ୱାର୍କସପ୍ କଲୋନିରେ ଜଣେ ମହିଳାଙ୍କୁ ଯୌତୁକ ପାଇଁ ଅମାନୁଷିକ ନିର୍ଯାତନା ଦିଆଯାଇଛି। ସ୍ବାମୀ ତାଙ୍କୁ ବାନ୍ଧି ଗୁପ୍ତାଙ୍ଗରେ ଚେଙ୍କ ଦେଇ ଝୁଲାଇ ପଳାଇଯାଇଥିବା ବେଳେ ପୁଲିସ ପହଞ୍ଚି ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ଉଦ୍ଧାର କରିଛି। ପୀଡ଼ିତ ମହିଳାଙ୍କ ମା’ଙ୍କ ଅଭିଯୋଗକ୍ରମେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ସୂଚନା ମୁତାବକ, ଅନୁଗୁଳ ସମଲ ଥାନା ବଜ୍ରକୋଟ ଗ୍ରାମର ସ୍ବର୍ଗତ ବିଦ୍ୟାଧର ନାଏକଙ୍କ ଝିଅ ପ୍ରଭାତୀ ନାଏକଙ୍କୁ ତାଳଚେର ଥାନା ଏକଡାଳ ଗ୍ରାମର ଡିଲେଶ୍ବର ନାଏକଙ୍କ ପୁଅ ପ୍ରେମାନନ୍ଦ ନାଏକ ୨୦୧୮ ମସିହାରେ ବିବାହ କରିଛନ୍ତି। ବିବାହର ପ୍ରଥମ ବର୍ଷ ସ୍ବାମୀ-ସ୍ତ୍ରୀଙ୍କ ସଂପର୍କ ଠିକ୍ ରହିଥିଲା। ଏହା ପରେ ପ୍ରେମାନନ୍ଦ ୫ ଲକ୍ଷ ଟଙ୍କା ଯୌତୁକ ଆଣିବାକୁ ଦାବି କରି ପତ୍ନୀ ପ୍ରଭାତୀଙ୍କୁ ମାଡ଼ ମାରିଥିଲେ। କିଛି ମାସ ପୂର୍ବରୁ ପ୍ରେମାନନ୍ଦ ତାଙ୍କୁ ମାଡ଼ ମାରିବା ସହିତ ହାତଗୋଡ଼ ବାନ୍ଧି ଶରୀରର ବିଭିନ୍ନ ସ୍ଥାନ ଧାରୁଆ ଅସ୍ତ୍ରରେ କାଟି ପକାଇ ଘରେ ବନ୍ଦ କରି ରଖିଥିଲେ। ପ୍ରଭାତୀଙ୍କୁ ନିର୍ଯାତନା ଦେବାରେ ପ୍ରେମାନନ୍ଦଙ୍କୁ ତାଙ୍କ ମା’ ରୂପବତୀ ସହଯୋଗ କରିଥିଲେ। ଥାନାରେ ଏହି ବିବାଦର ସମାଧାନ କରାଯାଇଥିଲା। ପ୍ରେମାନନ୍ଦ ଏମ୍ସିଏଲ୍ର ଜଣେ କର୍ମଚାରୀ। କିଛି ଦିନ ହେଲା ସେ ପତ୍ନୀ ଓ ପିଲାଙ୍କ ସହ ତାଳଚେର ସେଣ୍ଟ୍ରାଲ ୱାର୍କସପ୍ କଲୋନିରେ ତାଙ୍କ କ୍ବାର୍ଟର୍ସରେ ରହୁଥିଲେ। ସ୍ବାମୀଙ୍କ ସହ କ୍ବାର୍ଟର୍ସରେ ରହିଲେ ମଧ୍ୟ ପ୍ରଭାତୀଙ୍କ ଉପରେ ନିର୍ଯାତନା କମି ନଥିଲା। ଗତକାଲି ପ୍ରେମାନନ୍ଦ ପୁନର୍ବାର ପ୍ରଭାତୀଙ୍କ ହାତଗୋଡ଼ ବାନ୍ଧି ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଏଥିସହ ତାଙ୍କୁ ବିବସ୍ତ୍ର ଅବସ୍ଥାରେ ଝୁଲାଇ ତତଲା ଲୁହାଛଡ଼ରେ ଗୁପ୍ତାଙ୍ଗରେ ଚେଙ୍କ ଦେଇଥିଲେ। ଏମିତିକି ପ୍ରଭାତୀ ମରିଗଲେ ବୋଲି ଶାଶୂ ବବି ନାଏକଙ୍କୁ ଫୋନ୍ରେ ଜଣାଇଥିଲେ। ଏହା ପରେ ପ୍ରେମାନନ୍ଦ ଘରେ ତାଲା ପକାଇ ପୁଅଝିଅଙ୍କୁ ଧରି ଫେରାର ହୋଇ ଯାଇଥିଲେ।
ପ୍ରେମାନନ୍ଦଙ୍କଠାରୁ ଖବର ପାଇ ପ୍ରଭାତୀଙ୍କ ମା’ ବବି ନାଏକ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ଝିଅ ବଞ୍ଚିଥିବା ଜାଣିବାକୁ ପାଇଥିଲେ। କୋଲିୟରି ଥାନା ପୁଲିସ ସହଯୋଗରେ ଝିଅକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ତାଳଚେର କେନ୍ଦ୍ରୀୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ସେଠାରୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବବି ଆଜି ଏ ସଂପର୍କରେ କୋଲିୟରି ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛି।