ସୋର/ଭୋଗରାଇ/ଚନ୍ଦନେଶ୍ୱର (୧) : ନିଶା ମଣିଷକୁ କିଭଳି ବର୍ବର କରିଦିଏ, ତାର ଜ୍ୱଳନ୍ତ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ଓ ଭୋଗରାଇ ଅଞ୍ଚଳରେ। ଜଣେ ପ୍ରସୂତି ତାଙ୍କ ନବଜାତ ଶିଶୁପୁତ୍ରକୁ ଡାକ୍ତରଖାନାରୁ ନେଇ ଘରକୁ ଯାଉଥିବା ବେଳେ ମଦ୍ୟପ ସ୍ୱାମୀ ତାଙ୍କୁ ଚଳନ୍ତା ଅଟୋରୁ ଠେଲି ଦେବା ଫଳରେ ସେ ଗୁରୁତର ହୋଇଛନ୍ତି। ଔପଦା ବ୍ଲକ୍ କମାରପାଳ ଗରୁଡ଼ହତା ଗ୍ରାମର ପ୍ରଦୀପ ଗିରି କେନ୍ଦ୍ରାପଡ଼ା ରାଜକନିକା ଅଞ୍ଚଳର ସଙ୍ଗୀତାଙ୍କୁ ପ୍ରେମ ବିବାହ କରିଥିଲେ। ସଙ୍ଗୀତା ଗତ ୪ ଦିନ ତଳେ ସୋରସ୍ଥିତ ଏକ ଘରୋଇ ନର୍ସିଂହୋମରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଶନିବାର ଦିନ ନର୍ସିଂହୋମରୁ ସ୍ୱାମୀ ଓ ଶାଶୁଙ୍କ ସହିତ ଘରକୁ ଅଟୋରେ ଫେରୁଥିବା ବେଳେ ସଙ୍ଗୀତାଙ୍କ ବାପଘର ଲୋକ ନବଜାତକକୁ ଦେଖିବାକୁ ଆସି ନଥିବାରୁ ସ୍ୱାମୀ-ସ୍ତ୍ରୀ’ଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ନିଶାସକ୍ତ ଅବସ୍ଥାରେ ଥିବା ପ୍ରଦୀପ ସୋର-କୁପାରି ରାସ୍ତା ରାଜବନ୍ଧ ଛକ ନିକଟରେ ସଙ୍ଗୀତାଙ୍କୁ ଚଳନ୍ତା ଅଟୋରୁ ତଳକୁ ଠେଲି ଦେଇଥିଲେ। ସଙ୍ଗୀତାଙ୍କୁ ଗୁରୁତର ଅବସ୍ଥାରେ ଉକ୍ତ ଅଟୋ ଚାଳକ ସୋର ଡାକ୍ତରଖାନା ଆଣିଥିଲେ। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ୱର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।
ସେହିପରି ଭୋଗରାଇ ବ୍ଲକ ପଶରବିନ୍ଧା ପଞ୍ଚାୟତ ସାନଆଉସା ଗ୍ରାମରେ ଗତକାଲି ରାତିରେ ଆଉ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଶ୍ୱଶୁର ଘରେ ମଦ୍ୟପ ସ୍ୱାମୀ ପତ୍ନୀ, ଦୁଇ ପିଲା ଓ ଶ୍ୱଶୁରଙ୍କୁ କଟୁରିରେ ଆକ୍ରମଣ କରି କ୍ଷତାକ୍ତ କରିଛି। ସାନଆଉସା ଗ୍ରାମର ଜଗବନ୍ଧୁ ଜେନା (୪୫) ଆଜିକୁ ୨୦ ବର୍ଷ ତଳେ ସେହି ଗ୍ରାମର ହାଡ଼ିବନ୍ଧୁ ଜେନାଙ୍କ ଝିଅ ସବିତା (୩୫)ଙ୍କୁ ପ୍ରେମ ବିବାହ କରିଥିଲେ। ତେବେ ପ୍ରାୟ ୧୦ ବର୍ଷ ହେଲା ଜଗବନ୍ଧୁ ମଦ ଓ ଗଞ୍ଜେଇ ନିଶାରେ ଅଭ୍ୟସ୍ତ ହୋଇ ପରିବାରରେ ଅଶାନ୍ତି ସୃଷ୍ଟି କରିବା ସହିତ ବିଭିନ୍ନ ସମୟରେ ପତ୍ନୀ ଓ ଦୁଇ ପିଲାଙ୍କୁ ମାରପିଟ୍ କରୁଥିଲେ। ଗତକାଲି ରାତିରେ ଜଗବନ୍ଧୁ ନିଶାସକ୍ତ ଅବସ୍ଥାରେ ପତ୍ନୀ ସବିତାଙ୍କୁ ବାଡ଼ିଆପିଟା କରିବା ସହ ଜୀବନରୁ ମାରିଦେବା ପାଇଁ ଏକ ଧାରୁଆ କଟୁରିରେ ଆକ୍ରମଣ କରିଥିଲେ। ଏଥିରେ ସବିତାଙ୍କ ନାକ, ମୁହଁ, ଗୋଡ଼, ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଖବର ପାଇ ସବିତାଙ୍କ ବାପା ହାଡ଼ିବନ୍ଧୁ ଓ ତାଙ୍କ ଭାଇମାନେ ପହଞ୍ଚି ସବିତାଙ୍କୁ ଜଳେଶ୍ବରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଆଜି ସକାଳେ ସବିତା ଡାକ୍ତରଖାନାରୁ ବାପଘରକୁ ଫେରିବା ପରେ ଜଗବନ୍ଧୁ ପୁଣି ସେଠାକୁ ଆସି ତାଙ୍କୁ ଆକ୍ରମଣ କରିବା ବେଳେ ଗାଁ ଲୋକେ ତାକୁ କାବୁ କରିବା ସହିତ ଏକ ଗଛରେ ବାନ୍ଧି ନିର୍ଧୂମ ବାଡ଼େଇ ଥାନାକୁ ଖବର ଦେଇଥିଲେ। ଭୋଗରାଇ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଜଗବନ୍ଧୁଙ୍କୁ ଥାନାକୁ ନେଇଥିଲା। ପତ୍ନୀ ସବିତାଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଜଗବନ୍ଧୁଙ୍କୁ ଥାନାରେ ଅଟକ ରଖିଥିବା ଜଣାପଡ଼ିଛି।