ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ସ୍ବାମୀ ରକ୍ତମୁଖା: ଶୋଇଥିବା ଅବସ୍ଥାରେ ଭୁଜାଲିରେ ହାଣିଲା

କଟକ : ପ୍ରେମ କରି ବାହା ହେଇଥିବା ନିଜ ଧର୍ମପତ୍ନୀଙ୍କୁ ଅତି ନୃଶଂସ ଭାବେ ହାଣିଛି ରକ୍ତମୁଖା ସ୍ବାମୀ। ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି ଶୋଇଥିବା ଅବସ୍ଥାରେ ତାଙ୍କୁ ଭୁଜାଲିରେ ହାଣି ହତ୍ୟା କରିବାକୁ ଉଦ୍ୟମ କରିଛି। କଟକ ବଡ଼ ମେଡିକାଲ ଆଇସିୟୁରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ମହିଳା ୱାଇ ଶିରିଶା (ପିଙ୍କି)ଙ୍କ ମୁଣ୍ଡରେ ୧୦ରୁ ଅଧିକ ଭୁଜାଲି ଚୋଟ ବସିଛି। ବାମହାତ ପାପୁଲି ଓ ଆଙ୍ଗୁଠି ଭୁଜାଲି ଚୋଟରେ ଛିଡ଼ିଯାଇଛି। ରାତିରେ ପିଙ୍କିଙ୍କୁ ଖାଦ୍ୟରେ ନିଶା ଦେଇ ଅଚେତ କରିବା ପରେ ସ୍ବାମୀ ଏମ୍‌. ଜଗନ୍ନାଥ ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି। ଅନ୍ୟପଟେ ଜଗନ୍ନାଥ ଲାଲବାଗ ଥାନାରେ ଆତ୍ମସମର୍ପଣ କରିଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି।

ସୂଚନା ଅନୁଯାୟୀ, କାଜିବଜାର ମହିଳା ଟ୍ରେନିଂ ସ୍କୁଲ ଅଞ୍ଚଳର ସ୍ବର୍ଗତ ଏ. ଚେଣ୍ଡିରାଓଙ୍କ ଝିଅ ପିଙ୍କି ଏବଂ ଦିଓ୍ବାନବଜାର ତନ୍ତିସାହିର ଏମ୍. ଜଗନ୍ନାଥ ପରିବାର ଲୋକଙ୍କ ବିରୋଧ ସତ୍ତ୍ବେ ୨୦୦୮ ମସିହାରେ ପ୍ରେମ ବିବାହ କରିଥିଲେ। କିନ୍ତୁ ପରେ ପିଙ୍କିଙ୍କୁ ତାଙ୍କ ସ୍ବାମୀ ଓ ଶାଶୂଘର ଲୋକେ ଯୌତୁକ ଦାବିରେ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା। ମଙ୍ଗଳବାର ରାତି ପ୍ରାୟ ୯ଟା ବେଳେ ପରିବାର ଲୋକେ ଖାଇ ନିଜ ନିଜ ରୁମ୍‌ରେ ଶୋଇଥିଲେ। ଆଜି ଭୋର ପ୍ରାୟ ୩ଟା ବେଳେ ପିଙ୍କିଙ୍କ ବେଡ୍‌ରୁମ୍‌ରେ ଶୋଇଥିବା ୧୦ ବର୍ଷର ଝିଅ ଚିତ୍କାର କରି ବାହାରକୁ ଚାଲି ଆସିଥିଲା। ଝିଅର ଚିତ୍କାର ଶୁଣି ଜଗନ୍ନାଥ ଘରର ପଛପଟ କବାଟ ଖୋଲି ଫେରାର ହୋଇଯାଇଥିଲା। ଝିଅର ଚିତ୍କାର ଶୁଣି ପରିବାରର ଅନ୍ୟମାନେ ଉଠି ଘଟଣା ସଂପର୍କରେ ଜାଣିଥିଲେ। ଅନ୍ୟପଟେ ଜଗନ୍ନାଥ ଲାଲବାଗ ଥାନାରେ ଆତ୍ମସମର୍ପଣ କରିଥିଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପିଙ୍କିଙ୍କୁ ଶାଶୂଘର ଲୋକେ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପିଙ୍କିଙ୍କ ମା ଏ. ରାଜେଶ୍ବରୀ ଓ ସାନଭାଇ ଏ. ରାଜା ଲାଲବାଗ ଥାନାରେ ଜଗନ୍ନାଥର ଏଭଳି ନୃଶଂସ କାଣ୍ଡ ବିରୋଧରେ ଏତଲା ଦେଇଛନ୍ତି। ପୁଲିସ ମାମଲା ରୁଜୁ କରି ଜଗନ୍ନାଥକୁ ଗିରଫ କରିଥିବା ବେଳେ ରକ୍ତଲଗା ଭୁଜାଲିକୁ ଜବତ କରିଛି। ଏସ୍‌ଆଇ ଦୁର୍ଗାଚରଣ ମହାପାତ୍ର ଏହି ମାମଲାର ତଦନ୍ତ କରୁଛନ୍ତି। ଜଗନ୍ନାଥଙ୍କ ଘରେ ଚାରି ଭାଇ, ବାପା ଓ ବୋଉ ଅଛନ୍ତି।

ସମ୍ବନ୍ଧିତ ଖବର