ଯୌତୁକ ପାଇଁ ନବବଧୂଙ୍କୁ ହାଣିଦେଲା ସ୍ୱାମୀ

ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଗୋଳାବନ୍ଧ ଗ୍ରାମରେ ଜଣେ ନବବଧୂଙ୍କୁ ‌ଯୌତୁକ ପାଇଁ ନିର୍ଯାତନା ଦିଆଯିବା ସହ ହତ୍ୟା ଉଦ୍ୟମ କରାଯାଇଛି। ସ୍ୱାମୀ ଟାଙ୍ଗିଆରେ ହାଣିଦେବାରୁ ମହିଳା ଜଣଙ୍କ ଗୁରୁତର ହୋଇଛନ୍ତି। ତାଙ୍କୁ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗୁରୁତର ମହିଳା ଜଣଙ୍କ ହେଲେ ମାନସ ବେହେରାଙ୍କ ପତ୍ନୀ ଚମ୍ପା ବେହେରା (୨୮)।

ପ୍ରାପ୍ତ ସୂଚନା ଅନୁଯାୟୀ, ଗୋଳାବନ୍ଧ ଗ୍ରାମର ରାମ ବେହେରାଙ୍କ ପୁଅ ମାନସ ସାତମାସ ତଳେ ସରେଇ ଗ୍ରାମର ଚମ୍ପା ସାହୁଙ୍କୁ ପ୍ରେମ ବିବାହ କରିଥିଲେ। ବାହାଘର ବେଳେ ଝିଅଘର ପକ୍ଷରୁ ‌ଯୌତୁକ ବାବଦକୁ ୭୦ ହଜାର ଟଙ୍କା ଓ ଆସବା‌ବପତ୍ର ଦେଇଥିଲେ। ଶ୍ବଶୁର ଘର ଲୋକେ ଚମ୍ପାଙ୍କୁ ବାପାଘରୁ ଆହୁରି ଅଧିକ ଟଙ୍କା‌ ଆଣିବା ପାଇଁ ଚାପ ପକାଉଥିଲେ। ଏହାକୁ ନେଇ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ବିଭିନ୍ନ ସମୟରେ ପାଟିତୁଣ୍ଡ ହେଉଥିଲା। ଶନିବାର ଭୋରରୁ ଏହାକୁ କେନ୍ଦ୍ରକରି ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ମାନସ ଏକ ଟାଙ୍ଗିଆରେ ସ୍ତ୍ରୀ ଚମ୍ପାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଶାଶୁ ନିଦ୍ରା ବେହେରା ମଧ୍ୟ ତାଙ୍କୁ ମାଡ଼ ମାରିଥିଲେ। ପରେ ଶାଶୁଘର ଲୋକେ ଚମ୍ପାଙ୍କୁ ତେଲକୋଇ ଡାକ୍ତରଖାନାରେ ଆଣିଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଶାଶୁଘର ଲୋକେ ତାଙ୍କୁ କେନ୍ଦୁଝର‌ ନନେଇ ବାପଘର ସରେଇରେ ଛାଡ଼ି ଚାଲି ଆସିଥିଲେ। ବାପଘର ଲୋକେ ଚମ୍ପାଙ୍କୁ ପୁଣି ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ତେବେ ଏନେଇ ପରିବାର ‌ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର