ଶ୍ୱଶୁର ଘର ନାଁରେ ସ୍ତ୍ରୀକୁ ହତ୍ୟା ଅଭିଯୋଗ ଆଣିଲେ ସ୍ୱାମୀ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ ପୁରୁଣାକଟକ ଥାନା ଫୁଲଝରି ଗାଁରେ ଜଣେ ବିବାହିତା ମହିଳାଙ୍କୁ ବାପ ଘର ଲୋକେ ହତ୍ୟା କରିଥିବା ସଂପର୍କରେ ତାଙ୍କ ସ୍ବାମୀ ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ହରଭଙ୍ଗା ବ୍ଲକ୍‌ ରାମଗଡ଼ ଗାଁର ଖଗେଶ୍ୱର ଜଗଦଲା ୨୭ ବର୍ଷ ତଳେ ଫୁଲଝରି ଗାଁର ଜିରା ଜଗଦଲାଙ୍କୁ ବିବାହ କରିଥିଲେ। ସେମାନଙ୍କ ୨ପୁଅ ଓ ଝିଅ ମଧ୍ୟରୁ ବଡ଼ପୁଅ ପବିତ୍ର ଗତ ଡିସେମ୍ବର ମାସରେ କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଥିଲେ। ଏହି ଘଟଣାରେ ଜିରା ମାନସିକ ସ୍ତରରେ ଗଭୀର ଆଘାତ ପାଇଥିଲେ। ଅନ୍ୟପଟେ ଶ୍ୱଶୁର ଘର ସହିତ ଖଗେଶ୍ବରଙ୍କ ସମ୍ପର୍କ ଭଲ ନଥିଲା। ମାତ୍ର ୧ ମାସ ତଳେ ଜିରା ନିଜ ବାପଘର ଫୁଲଝରି ଯିବାକୁ ଅଡ଼ି ବସିବାରୁ ଖଗେଶ୍ୱର ତାଙ୍କୁ ନେଇ ଶ୍ୱଶୁର ଘରେ ଛାଡ଼ି ଆସିଥିଲେ। ଗୁରୁବାର ଖଗେଶ୍ୱର ଜଣେ ପଡ଼ୋଶୀଙ୍କଠାରୁ ବୁଧବାର ରାତିରେ ଜିରାଙ୍କ ମୃତ୍ୟୁ ହୋଇଥିବା ଏବଂ ଶବକୁ ଶ୍ୱଶୁର ଘର ଲୋକେ ପୋଡ଼ି ଦେଇଥିବା ଜାଣିବାକୁ ପାଇଥିଲେ।

ଏନେଇ ଖଗେଶ୍ୱର ତାଙ୍କ ଶଳାଙ୍କୁ ପଚାରିବାରୁ ସେ ଆତ୍ମହତ୍ୟା କରିବାରୁ ପୋଡ଼ିଦେଲେ ବୋଲି କହିଥିଲେ। ଏଥିରେ ସନ୍ଦେହ କରି ଖଗେଶ୍ୱର ସ୍ତ୍ରୀଙ୍କୁ ଶଶୁର ଘର ଲୋକେ ହତ୍ୟା କରିଥିବା ବିଷୟରେ ଥାନାରେ ଅଭିଯୋଗ କରିଛନ୍ତି। ଏସ୍‌ଡିପିଓ ଆନନ୍ଦ ବର୍ଦ୍ଧନ ଗୁରୁ ଶନିବାର ପୁରୁଣାକଟକ ଥାନାରେ ପହଞ୍ଚି ଉଭୟ ପକ୍ଷକୁ ପଚରା ଉଚରା କରିଛନ୍ତି।

ସମ୍ବନ୍ଧିତ ଖବର