ବିଚ୍‌ରାସ୍ତାରେ ସ୍ତ୍ରୀକୁ ଜାଳିଦେଲା ସ୍ବାମୀ

ଛତ୍ରପୁର : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ସ୍ପିରିଟ୍‌ ଢାଳି ପ୍ରେମିକାକୁ ଜିଅନ୍ତା ଜାଳିଦେବା ଘଟଣା ମନରୁ ଲିଭି ନ ଥିବାବେଳେ ଛତ୍ରପୁର ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅଞ୍ଚଳରେ ପୁଣି ଅନୁରୂପ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ବିଚ୍‌ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିବା ସହ ପତ୍ନୀଙ୍କ ଦେହରେ ପେଟ୍ରାଲ ଢାଳି ନିଆଁ ଲଗାଇଛନ୍ତି। ଗ୍ରାମବାସୀମାନେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଏହିଭଳି ଅପରାଧ ଘଟାଇଥିବା ବ୍ୟକ୍ତି ଜଣକ ହେଲେ, ବି.ମୁକୋଡୁ। ସାନ ଆର୍ଯପଲ୍ଲୀ ଗ୍ରାମର ମୁକୋଡୁଙ୍କର ପତ୍ନୀ ଏରାମ୍ମାଙ୍କ ସହ ଦୁଇ ଝିଅ ଓ ଗୋଟିଏ ପୁଅ ଅଛନ୍ତି। ମିଳିଥିବା ସୂଚନା ଅନୁସାରେ, ପ୍ରାୟ ଏକବର୍ଷ ହେଲା ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ଲାଗିଆସୁଛି। ଏଥିରେ ଅତିଷ୍ଠ ହୋଇ ପତ୍ନୀ ଏରମ୍ମା ପିଲାମାନଙ୍କୁ ଧରି ବାପଘରେ ରହୁଛନ୍ତି। ଆଜି ଏରାମ୍ମା ଅନ୍ୟ ମହିଳା ଶ୍ରମିକଙ୍କ ସହ ଟିଫିନ୍‌ବାକ୍ସ ଧରି ଘରୁ କାମ କରିବାକୁ ବାହାରିଥିଲେ। ଘରଠାରୁ ମାତ୍ର ୧୦୦ ରୁ ୨୦୦ ମିଟର ଦୂର ଗାନ୍ଧିଛକଠାରେ ମୁକୋଡ଼ୁ ଯୋଜନାବଦ୍ଧ ଭବେ ଏରମ୍ମାଙ୍କୁ ଜିଅନ୍ତା ପୋଡ଼ି ମାରିବାପାଇଁ ପେଟ୍ରୋଲ୍ ଧରି ଜଗି ରହିଥିଲା। ଏରାମ୍ମା ପହଞ୍ଚିବା କ୍ଷଣି ମୁକୋଡୁ ସହ ମୁହାଁମୁହିଁ ହୋଇଥିଲା। ଦୁହିଁଙ୍କ ମଧ୍ୟରେ କଥା କଟାକଟି ପରେ ଏରାମ୍ମାଙ୍କୁ ମୁକୋଡ଼ୁ ମାରଧର କରିଥିଲା। ଏହାପରେ ହଠାତ୍‌ ସେ କାଖ ଭିତରେ ଲୁଚାଇ ରଖିଥିବା ପେଟ୍ରୋଲ ବୋତଲ ବାହାର କରି ଏରାମ୍ମାଙ୍କ ଉପରେ ଢାଳିଥିଲା। ଏରାମ୍ମା ଧାଉଁଥିବା ବେଳେ ଗୋଡ଼ାଇ ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲା। ଏହା ଦେଖି ପାଖରେ ଥିବା ଏନ୍.ଗୋପାଳ ଓ ଏନ୍.କାମେୟା ଦୌଡ଼ିଆସି ଏରାମ୍ମାଙ୍କୁ ଉଦ୍ଧାର କରିଥିଲେ। ସେତେବେଳକୁ ତାଙ୍କ ଶରୀରର ୫୦ ପ୍ରତିଶତ ପୋଡ଼ି ଯାଇଥିଲା। ସଂଗେସଂଗେ ଗ୍ରାମବାସୀ ଏରାମ୍ମାଙ୍କୁ ଉଦ୍ଧାର କରି ଛତ୍ରପୁର ଉପଖଣ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

ଘଟଣା ସମ୍ପର୍କରେ ସୂଚନା ପାଇ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ପୁଲିସ, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍‌ ରଞ୍ଜନ ଛୋଟରାୟ, ଛତ୍ରପୁର ଏସ୍‌ଡିପିଓ ଗୌତମ କିଷାନ୍ ଏବଂ ସାଇଣ୍ଟିଫିକ୍ ଟିମ୍ ଏଏସ୍‌ଓ ପ୍ରଭାତି ପଟ୍ଟନାୟକ ପ୍ରମୁଖ ପହଞ୍ଚି ଘଟଣାର ସରଜମିନ୍ ତଦନ୍ତ କରିଛନ୍ତି। ଅଭିଯୁକ୍ତ ସ୍ବାମୀ ବି.ମୁକୋଡୁକୁ ଥାନାରେ ଅଟକ ରଖା ଯାଇଥିବାବେଳେ ଏରାମ୍ମାଙ୍କ ପିତା ଜି.ଏରେୟା ସାମୁଦ୍ରିକ ଥାନାରେ ଘଟଣା ସଂପର୍କରେ ଏକ ଅଭିଯୋଗ ଦାଖଲ କରିଛନ୍ତି।

ସମ୍ବନ୍ଧିତ ଖବର