ପତ୍ନୀହନ୍ତା ପତିର ଆତ୍ମହତ୍ୟା, ରେଳ ଧାରଣାରୁ ମିଳିଲା ଶବ

ପୁରୀ : ନିଜ ପତ୍ନୀଙ୍କୁ ହତ୍ୟା କରି ଫେରାର ହୋଇଯାଇଥିବା ସ୍ବାମୀର ଶବ ଆଜି ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଇଟାମାଟିର ଡେଙ୍ଗରାଗୋଡ଼ିର ରେଳଧାରଣାରୁ ମିଳିଛି। ରେଳ ଧାଣଣାକୁ ଡେଇଁ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତାଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଏହି ଶବକୁ ଚିହ୍ନଟ କରିବା ପରେ ଇଟାମାଟି ଥାନା ପୁଲିସ ଶବ ପଞ୍ଚନାମା କରି ବ୍ୟବଚ୍ଛେଦ କରାଇଛି।

ସୂଚନାଯୋଗ୍ୟ, ନୟାଗଡ଼ ଜିଲ୍ଲା ବୋଲଗଡ଼ ଥାନା ଅନ୍ତର୍ଗତ ହଳଦିପଦା ମଠ ସାହିର କୃଷ୍ଣଚନ୍ଦ୍ର ବେହେରାଙ୍କ ପୁଅ ଡୁଗୁ ଓରଫ ରମେଶ ବେହେରା ପୁରୀ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଦତ୍ତତୋଟା ଜଗନ୍ନାଥ ଲେନରେ ସପରିବାରେ ଭଡ଼ାଘରେ ରହୁଥିଲା। କିଛି ଦିନ ପୂର୍ବେ ରମେଶ ଓ ତା’ର ପତ୍ନୀ ପୂଜା ନିଜର ପୁଅ ଝିଅଙ୍କୁ ନେଇ ପୂଜାଙ୍କ ବାପ ଘର କଟକ ଜିଲ୍ଲା ବୈଦେଶ୍ବର ଗ୍ରାମରେ ଛାଡ଼ି ଗତ ୨୫ ତାରିଖ ଦିନ ପୁରୀକୁ ଫେରିଥିଲେ। ତେବେ ଏଠାରେ ପହଞ୍ଚିବା ପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

ଏଥିରେ ଉତକ୍ଷିପ୍ତ ହୋଇ ରମେଶ ପୂଜାଙ୍କୁ ତଣ୍ଟିଚିପି ହତ୍ୟା କରି ଶୋଇବା ଘର ଖଟ ତଳେ ରଖି ବାହାରୁ ତାଲା ପକାଇ ଫେରାର ହୋଇ ଯାଇଥିଲେ। ଗତକାଲି ପୁଲିସ ପୂଜାଙ୍କ ଗଳିତ ମୃତଦେହ ଘର ଭିତରୁ ଜବତ କରିଥିଲା। ଆଜି ସକାଳେ ରମେଶଙ୍କ ମୃତଦେହ ଟ୍ରେନ୍‌ ଲାଇନ୍‌ରୁ ଉଦ୍ଧାର କରାଯାଇଛି।

ସମ୍ବନ୍ଧିତ ଖବର