ବିଜୟ ଶୋଭାଯାତ୍ରାରେ ପରାଜିତ ପ୍ରାର୍ଥୀଙ୍କୁ ଟାହିଟାପରା: ଅପମାନିତ ସ୍ୱାମୀଙ୍କ ଆତ୍ମହତ୍ୟା, ବିଷ ପିଇ ପତ୍ନୀ ଗୁରୁତର

ଅଭିଯୁକ୍ତଙ୍କ ଗିରଫ ଦାବି‌ରେ ଶବ ରଖି ଗ୍ରାମବାସୀଙ୍କ ରାସ୍ତାରୋକ

ବାସୁଦେବପୁର : ନିର୍ବାଚନରେ ହାରିଯିବାରୁ ପ୍ରତିପକ୍ଷ ଦଳ ପରାଜିତ ପ୍ରାର୍ଥିନୀଙ୍କ ସ୍ୱାମୀଙ୍କୁ ଟାହିଟାପରା କଲେ। ଗାଁ ଦାଣ୍ଡରେ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରି ଗଳାଧକ୍କା ବି ମାରିଲେ। ଅପମାନକୁ ହଜମ କରିପାରିଲେନି ସ୍ୱାମୀ। ଘରେ ରଶି ଲଗାଇ ଆତ୍ମହତ୍ୟା କରିଦେଲେ। ସେପଟେ ସ୍ୱାମୀଙ୍କର ଏ ଅବସ୍ଥା ଦେଖି ପତ୍ନୀ ବିଷ ପିଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ପଦ୍ମପୁର ପଞ୍ଚାୟତ ବଡ଼ଅଗାପୁର ଗାଁର ଏହି ଅଭାବନୀୟ ଘଟଣାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ଏହି ଘଟଣାରେ ଯେଉଁମାନେ ଦାୟୀ ସେମାନଙ୍କୁ ତୁରନ୍ତ ଗିରଫ କରିବା ଦାବି‌ରେ ଗ୍ରାମବାସୀ ସୋମବାର ଦିନ ଶବ ରଖି ରାସ୍ତାରୋକ କରିଛନ୍ତି। ଏ ସଂକ୍ରାନ୍ତରେ ମୃତକ ରମାକାନ୍ତ ପରିଡ଼ାଙ୍କ ପରିବାର ପକ୍ଷରୁ ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି।

ମୃତକଙ୍କ ସମ୍ପର୍କୀୟ ରମେଶ ପରିଡ଼ାଙ୍କ ଅଭିଯୋଗ ଅନୁଯାୟୀ, ରବିବାର ୧୩ ତାରିଖ ସନ୍ଧ୍ୟାରେ ପଦ୍ମପୁର ପଞ୍ଚାୟତରେ ବିଜେଡିର ବିଜୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଶୋଭାଯାତ୍ରାରେ ୧୮ ନମ୍ବର ଜୋନ୍‌ର ବିଜୟୀ ଜିଲ୍ଲା ପରିଷଦ ପ୍ରାର୍ଥୀ ଜୟକୃଷ୍ଣ ନାୟକ, ସରପ‌ଞ୍ଚ ରାଜେନ୍ଦ୍ର ନାରାୟଣ ନାୟକ, ସମିତିସଭ୍ୟା
ସନ୍ଧ୍ୟାରାଣୀ ନାୟକ, ସ୍ଥାନୀୟ ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ବ୍ଳକ୍‌ ବିଜେଡି ସଭାପତି ଦୀନବନ୍ଧୁ ଦାସ, ବିଜେଡି ନେତା ଅଶୋକ କୁମାର ନାୟକଙ୍କ ସହ ଦଳୀୟ ସମର୍ଥକମାନେ ସାମିଲ୍‌ ହୋଇଥିଲେ। ପଦ୍ମପୁର ବଜାରରୁ ଶୋଭାଯାତ୍ରା ବାହାରି ବଡ଼ଅଗାପୁର ଗାଁ ପର୍ଯ୍ୟନ୍ତ ଯାଇଥିଲା। ନିର୍ବାଚନରେ ହାରିଥିବା ସମିତିସଭ୍ୟା ପ୍ରାର୍ଥୀ ସୁମତୀ ପରିଡ଼ାଙ୍କ ଘର ଏହି ଗାଁରେ। ସ୍ୱାମୀ ରମାକାନ୍ତ ପରିଡ଼ା ଘର ସମ୍ମୁଖରେ ଶୋଭାଯାତ୍ରାକୁ ଦେଖିବା ପାଇଁ ଛିଡ଼ା ହୋଇଥିଲେ। ରମାକାନ୍ତଙ୍କୁ ଦେଖିବା ମାତ୍ରେ ଶୋଭାଯାତ୍ରାରେ ସାମିଲ ହୋଇଥିବା ସମର୍ଥକ ଛିଗୁଲେଇଥିଲେ। ଗାଳିମନ୍ଦ କରିବା ସହ ତାଙ୍କ ବେକରେ ପଡ଼ିଥିବା ଗାମୁଛାରେ ଟଣାଓଟରା କରିଥିଲେ। ଏହି ଘଟଣାରେ ରମାକାନ୍ତ ମାନସିକସ୍ତରରେ ଭାଙ୍ଗିପଡ଼ିବା ସହ ଘରକୁ ଆସି ଫ୍ୟାନ୍‌ରେ ରଶି ଲଗାଇ ଝୁଲି ପଡ଼ିଥିଲେ। ପରିବାର ଲୋକେ କବାଟ ଭାଙ୍ଗି ରମାକାନ୍ତଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଭଦ୍ରକ ଜିଲ୍ଲା ଡାକ୍ତରଖାନାକୁ ନେଇ ଯାଇଥିଲେ।

ଅନ୍ୟପକ୍ଷରେ ସ୍ୱାମୀଙ୍କର ଏ ଅବସ୍ଥା ଦେଖି ସ୍ତ୍ରୀ ସୁମତୀ ମଧ୍ୟ ବିଷ ପିଇ ଦେଇଥିଲେ। ଗାଁ ଲୋକଙ୍କ ସହାୟତାରେ ସୁମତୀଙ୍କୁ ଭଦ୍ରକ ଜିଲ୍ଲା ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ସେତେବେଳକୁ ରମାକାନ୍ତଙ୍କର ମୃତ୍ୟୁ ହୋଇ ସାରିଥିଲା। ସୁମତୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ଦେଖି ତାଙ୍କୁ କଟକ ନେଇଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ସେ ଏବେ କଟକର ଏକ ଘରୋଇ ଡାକ୍ତରଖାନାରେ ଆଇସିୟୁରେ ଜୀବନ ସହ ସଂଗ୍ରାମ କରୁଛନ୍ତି। ଏହି ଘଟଣାରେ ବାସୁଦେବପୁର ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର