ସାବିତ୍ରୀ ଦିନ ଅଘଟଣ: ପତ୍ନୀଙ୍କୁ ବଞ୍ଚାଇବାକୁ ଯାଇ ସ୍ୱାମୀଙ୍କ ପ୍ରାଣଗଲା

ସମ୍ବଲପୁର: ସାବିତ୍ରୀ ଅମାବାସ୍ୟା ଦିନ ପତିଙ୍କ ଦୀର୍ଘ ଜୀବନ କାମନା କରି ପତ୍ନୀ ବ୍ରତ ରଖିଥାନ୍ତି। କିନ୍ତୁ ସମ୍ବଲପୁରରେ ସାବିତ୍ରୀ ବ୍ରତ ଦିନ ପତ୍ନୀଙ୍କୁ ବଞ୍ଚାଇବାକୁ ଯାଇ ପତି ବୃନ୍ଦାବନ ପ୍ରଧାନ(୪୫) ବିଦ୍ୟୁତ ଆଘାତରେ ପ୍ରାଣ ହରାଇଛନ୍ତି। ବରିଷ୍ଠ ସହାୟକ ଭାବେ ଉତ୍ତରାଂଚଳ ଆର୍‌ଡିସିଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବୃନ୍ଦାବନଙ୍କ ମୃତ୍ୟୁ ହେବା ଖବର ଜଣାପଡ଼ିବା ପରେ ତାଙ୍କ ନିଜ ଗାଁ ଶାସନ ପାଖ ତାଲବ ସହିତ ସମ୍ବଲପୁର ସହରରେ ମଧ୍ୟ ଶୋକର ଛାୟା ଖେଳିଯାଇଛି। ମଙ୍ଗଳବାର ସକାଳ ସାଢ଼େ ୯ଟାରେ ଏବେ ସମ୍ବଲପୁର କମିସନର କଲୋନିରେ ରହୁଥିବା ବୃନ୍ଦାବନ ପ୍ରଧାନଙ୍କ ଘରୋଇ ସହାୟିକା ଯଜ୍ଞ ସାହୁ(୪୦) ଘର ଅଗଣାରେ ଟଣା ଯାଇଥିବା ତାରରେ ଲୁଗା ସୁଖାଉ ଥିଲେ। ସୋମବାର ବର୍ଷା ଯୋଗୁଁ ସଟ୍‌ସର୍କିଟ ହୋଇ ଉକ୍ତ ତାର ବିଦ୍ୟୁତ ପ୍ରବାହିତ ହେଉଥିଲା। ଲୁଗା ସୁଖାଇବା ବେଳେ ଯଜ୍ଞ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ। ତାଙ୍କ ଚିତ୍କାର ଶୁଣି ପାଖରେ ଥିବା ବୃନ୍ଦାବନଙ୍କ ପତ୍ନୀ ସରୋଜିନୀ ପ୍ରଧାନ(୪୦) ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ସରୋଜିନୀ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ। ଘର ଭିତରେ ଥିବା ବୃନ୍ଦାବନ ସେମାନଙ୍କ ଚିତ୍କାର ଶୁଣି ସେ ଦୌଡ଼ି ଆସିଥିଲେ। ବିଦ୍ୟୁତ ସଂସ୍ପର୍ଶରୁ ପତ୍ନୀ ସରୋଜିନୀ ଏବଂ ଘରୋଇ ସହାୟିକା ଯଜ୍ଞଙ୍କୁ ବଞ୍ଚାଇବାକୁ ସଫଳ ହୋଇଥିଲେ। ହେଲେ ନିଜେ କିନ୍ତୁ ଏଥିରେ ମୁକୁଳି ପାରି ନଥିଲେ। ସେ ଯନ୍ତ୍ରଣାରେ ଛଟପଟ ହୋଇଥିଲେ। ବୃନ୍ଦାବନଙ୍କ ପୁଅ ଓ ଅନ୍ୟମାନେ ବୃନ୍ଦାବନଙ୍କୁ ବହୁ କଷ୍ଟରେ ଉଦ୍ଧାର କରିଥିଲେ। ଚିକିତ୍ସା ପାଇଁ ତାଙ୍କୁ ସଂଗେସଂଗେ ସଦର ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସଂକ୍ରାନ୍ତରେ ଖବର ପାଇ ଆର୍‌ଡିସି କାର୍ଯ୍ୟାଳୟର ଅଫିସର ଓ କର୍ମଚାରୀ ସଦର ଡାକ୍ତରଖାନାରେ ପହଂଚି ଥିଲେ। ପତିଙ୍କ ଦୀର୍ଘ ଜୀବନ କାମନା ପାଇଁ ପତ୍ନୀ ସରୋଜନୀ ଉପବାସ ରଖିଥିବା ବେଳେ ବ୍ରତ ହେବା ଆଗରୁ ସବୁ କିଛି ଓଲଟ ପାଲଟ ହୋଇଥିଲା। ସରୋଜିନୀ ଏବେ ଗୁରୁତର ଅବସ୍ଥାରେ ସଦର ଡାକ୍ତରଖାନାରେ ଭର୍ତି ହୋଇଛନ୍ତି। ଯଜ୍ଞ ସାମାନ୍ୟ ଆହତ ହୋଇଛନ୍ତି। ଧନୁପାଲି ଥାନା ପୁଲିସ ଘଟଣା ସଂକ୍ରାନ୍ତରେ ଅପମୃତ୍ୟୁ ମାମଲା ୮/୧୮ ରୁଜୁ କରି ଘଟଣାର ଅନୁସନ୍ଧାନ କରୁଛି।

ସମ୍ବନ୍ଧିତ ଖବର