ଟ୍ରକ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଶଳା ଗୁରୁତର

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ପଳସମା ଗ୍ରାମ ଦେବଗଡ଼-ବୁଢାପାଳ ରାଞ୍ଚି ବିଜୟୱାଡ଼ା ରାସ୍ତାରେ ବୁଧବାର ଅପରାହ୍‌ଣରେ ଏକ ବାଇକକୁ ଟ୍ରକ୍ ପଛପଟୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଅନୁଗୁଳ ଜିଲ୍ଲା ନଙ୍ଗୁଳି ଗ୍ରାମର ବିଶ୍ବନାଥ ନାୟକ (୩୨)ଙ୍କ ମୃତ୍ୟୁ ହୋଇଯାଇଛି। ବିଶ୍ବନାଥଙ୍କ ପତ୍ନୀ ବିଲ ନାୟକ (୨୫) ଓ ଶଳା ତୁଷାର ନାୟକ (୨୦) ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ  ରିଆମାଳ ବ୍ଲକ କଣ୍ଟାବାହାଳ ଗ୍ରାମର ନବୀନା ସାହୁଙ୍କ ପୁଅ ତୁଷାର

ତାଙ୍କ ଭଉଣୀ ବିଲଙ୍କ ଘରକୁ ବୁଲିବାକୁ ଯାଇଥିଲେ। ତାଙ୍କ ପାଇଁ ଡ୍ରେସ କିଣି ଭିଣୋଇ ବିଶ୍ୱାନାଥ, ଭଉଣୀ ବିଲ ଓ ସେ ବାଇକ୍‌ରେ ଫେରୁଥିବା ବେଳେ ପଳସମାଠାରେ ପଛ ପଟୁ ଟ୍ରକ୍‌ (ଓଡି-୧୯ଜେ-୧୧୧୦) ଧକ୍କା ଦେଇଥିଲା। ଫଳରେ ତିନି ଜଣ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ବିଶ୍ୱନାଥଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଦୁଇ ଭାଇ ଭଉଣୀଙ୍କୁ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ତେବେ, ଦୁର୍ଘଟଣା ଘଟାଇ ଟ୍ରକଟି ଫେରାର ମାରୁଥିବା ବେଳେ ବାଘବର ଗ୍ରାମ ଛକରେ ଓଡ଼ିଶା ଡ୍ରାଇଭର ମହାସଂଘର ସଦସ୍ୟଙ୍କ ଦ୍ୱାରା ଟ୍ରକ ଓ ଚାଳକକୁ ଅଟକ ରଖାଯାଇଛି। ପୁଲିସ ଟ୍ରକକୁ ଓ ବାଇକ୍‌କୁ ଜବତ କରିଛି। ଟ୍ରକ୍‌ ଚାଳକ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ପତରପଦା ଗ୍ରାମର ଦିଲୀପ ବିଶ୍ୱାଳକୁ ଅଟକ ରଖିଛି। କ୍ଷତିପୂରଣ ବାବଦରେ ଡ୍ରାଇଭର ମହାସଂଘ, ପଳସମା ଗ୍ରାମବାସୀ ଓ କଣ୍ଟାବାହାଳ ଗ୍ରାମବାସୀ ଶବ ରଖି ଦେବଗଡ-ବୁଢାପାଳ ରାସ୍ତା ଅବରୋଧ କରାଯାଇଛି।

ସମ୍ବନ୍ଧିତ ଖବର