ଠାକୁରମୁଣ୍ତା : ମହୁଲଡିହା ଥାନା ଅନ୍ତର୍ଗତ ସାତକୋଶିଆ ବନାଞ୍ଚଳ ଗୌଡିଆବାହାଳୀ ଗ୍ରାମର ବାଉଁଶଡିହା ସାହିରେ ଆଜି ଅଘଟଣ ଘଟିଛି। ଭାଲୁ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀ ଗୁରୁତର ହୋଇଛନ୍ତି। ମୃତକ ହେଉଛନ୍ତି ସାହିର ଧରଣୀ ହୋ(୪୫)। ଅନ୍ୟପଟେ ତାଙ୍କ ପତ୍ନୀ ବାଲେମା ଗୁରୁତର ହୋଇ ମୃତ୍ୟୁ ସହିତ ସଂଘର୍ଷ କରୁଛନ୍ତି।
ସୂଚନା ଅନୁସାରେ, ବାଉଁଶଡିହା ସାହିର ସି˚ଙ୍ଗରାୟ ହୋ ପୁଅ ଧରଣୀ (୪୫) ଓ ତାଙ୍କ ପତ୍ନୀ ବାଲେମା ହୋ ଆଜି ସକାଳ ୬ଟା ବେଳେ ଧାନକ୍ଷେତ ଦେଖିବାକୁ ଯାଇଥିଲେ। ସେଠାରେ କିଛି ସମୟ ନିଜ ଚାଷ ଜମିକୁ ଦେଖିବା ପରେ ଧରଣୀ ପାଖ ଜଙ୍ଗଲକୁ ଦାନ୍ତକାଠି କାଟିବାକୁ ଚାଲି ଯାଇଥିଲେ। ଏତିକିବେଳେ ଜଙ୍ଗଲ ମଧ୍ୟରୁ ୩ଟି ଭାଲୁ ବାହାରି ଆସି ତାଙ୍କୁ ଆକ୍ରମଣ କରିଥିଲେ। ତେବେ ଜୀବନ ବଞ୍ଚାଇବାକୁ ଯାଇ ଧରଣୀ ଭାଲୁଗୁଡ଼ିକ ସହ ସେ ବେଶ୍ କିଛି ସମୟ ସଂଘର୍ଷ କରିଥିଲେ ହେଁ ଶେଷରେ ହାର୍ ମାାନିଥିଲେ। ଭାଲୁଗୁଡ଼ିକ ତାଙ୍କୁ ଘେରିଯାଇ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ହିଁ ଧରଣୀଙ୍କ ଜୀବନ ଚାଲି ଯାଇଥିଲା। ତେବେ ଅନ ତିଦୂରରେ ଥିବା ପତ୍ନୀ ବାଲେମା ଏହା ଦେଖି ଚିତ୍କାର କରିବାରୁ ରକ୍ତମୁଖା ଭାଲୁଗୁଡ଼ିକ ତାଙ୍କ ଆଡ଼କୁ ମାଡ଼ି ଆସି ଆକ୍ରମଣ କରିଥିଲେ। ଫଳରେ ବାଲେମାଙ୍କ ଡାହାଣ ଗୋଡ଼ରେ ଗଭୀର କ୍ଷତ ସହିତ ପେଟ ଓ ମୁଣ୍ତରେ କ୍ଷତ ହୋଇ ରକ୍ତସ୍ରାବ ହୋଇଥିଲା। ତେବେ ସୌଭାଗ୍ୟକ୍ରମେ ସେ ଭାଲୁଙ୍କ କବଳରୁ ଖସି ଆସି ସେ ଗାଁ ଲୋକଙ୍କୁ ଖବର ଦେଇଥିଲେ। ଗାଁଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ବାଲେମାଙ୍କୁ ଠାକୁରମୁଣ୍ଡା ମେଡିକାଲକୁ ନେଇଥିଲେ। ଖବରପାଇ ମହୁଲଡିହା ଥାନା ପୁଲିସ ସହିତ ବନବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଧରଣୀଙ୍କ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ପଠାଇଥିଲେ।
ଧରଣୀ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ। ଏଣୁ ତାଙ୍କର ଏଭଳି ଅକାଳ ମୃତ୍ୟୁରେ ପରିବାର ଲୋକ ଭାଙ୍ଗି ପଡ଼ିଛନ୍ତି। ଉକ୍ତ ପରିବାରକୁ ଯଥାଶୀଘ୍ର ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗାଁଲୋକେ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/thakurmunda.jpg)