ବାଣ ବିସ୍ଫୋରଣରେ ଉଡ଼ିଗଲା ଘର: ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ନୟାଗଡ଼/ଓଡ଼ଗାଁ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍‌ ଶରଣକୁଳ ଥାନା ଅଧୀନ ଗୋଡ଼ିପଡ଼ା ଗ୍ରାମ ଖରୁଡ଼ାସାହିରେ ବାଣ ବିସ୍ଫୋରଣ ଘଟି ଏକ ପରିବାର ସର୍ବସ୍ବାନ୍ତ ହୋଇଛନ୍ତି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଘର ଆଟୁ ସଂପୂର୍ଣ୍ଣ ଭାବେ ଉଡ଼ିଯାଇଛି। ଏଥିରେ ବେଆଇନ ଭାବ ବାଣ ତିଆରି ଚଳାଇଥିବା ଅଖିଳ ସେଠୀଙ୍କର ମୃତ୍ୟୁ ହୋଇଥିବାବେଳେ ତାଙ୍କ ପତ୍ନୀ ଲକ୍ଷ୍ମୀ ଗୁରୁତର ଆହତ ହୋଇଛନ୍ତି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଖିଳ ଦୀର୍ଘଦିନ ହେବ ବେଆଇନ ଭାବେ ବାଣ ତିଆରି କରିବା ସହ ଦୋକାନ ଚଳାଇଥିଲେ। ଆଜି ସନ୍ଧ୍ୟାରେ ଅଖିଳ ଧୂପ ଦେଉଥିବା ବେଳେ ଦୁର୍ଭାଗ୍ୟବଶତଃ ଏଥିରୁ ନିଆଁ ଲାଗି ବାଣ ବିସ୍ପୋରଣ ଘଟିଥିଲା। ଘରର ଆଟୁ ଉପରକୁ ଉଠିଯାଇ ଅଖିଳଙ୍କ ଉପରେ ପଡ଼ିଯାଇଥିଲା। ବାଣ ବିସ୍ଫୋରଣରେ ଅଖିଳ ପୋଡ଼ି ହୋଇଯିବା ସହିତ ଆଟୁ ତଳେ ଚାପିହୋଇଯାଇଥିଲେ। ଏହି ସମୟରେ ତାଙ୍କ ପତ୍ନୀ ଲକ୍ଷ୍ମୀ ଘରୁ ବାହାରୁଥିବା ସମୟରେ ନିଆଁ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିବା ଜଣାପଡ଼ିଛି। ପ୍ରଥମେ ତାଙ୍କୁ ଗୋଡ଼ିପଡା ଚିକିତ୍ସାଳୟ ପରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ଖବର ପାଇ ସ୍ଥାନୀୟ ଦମକଳବାହିନୀ ଘଟଣାସ୍ଥଳରେ ପହ‌ଞ୍ଚି ନିଆଁକୁ ଆୟତ୍ତ କରିଥିଲେ।।

ବିସ୍ଫୋରଣ ସମୟରେ ଅଖିଳଙ୍କ ଘରର ଅନ୍ୟ ସଦସ୍ୟମାନେ ବାହାରେ ବୁଲୁଥିବାରୁ ରକ୍ଷା ପାଇଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର