ସ୍ୱାମୀ ମରିଗଲେ ନାରୀକୁ ବିଧବା ବେଶ କରାଇବା ଉଚିତ ନୁହେଁ: ବାବା ବଳିଆ

ବୌଦ୍ଧ: ଜଣେ ନାରୀ ବିଧବା ହେଲେ ତାକୁ ଯେପରି ଭାବେ ଅବହେଳିତ, ନିର୍ଯାତିତ ଓ ଅସହାୟ ଅବସ୍ଥାରେ ବୈଧବ ଯନ୍ତ୍ରଣା ଭୋଗ କରିବାକୁ ପଡ଼ିିଥାଏ ତାହା ସୁସ୍ଥ ସମାଜ ପାଇଁ ଆଦୌ ଶୁଭଙ୍କର ନୁହେଁ। ଏଣୁ ଏ ଦିଗରେ ସାମାଜିକ ସଚେତନତା ସୃଷ୍ଟି କରିବା ନିତାନ୍ତ ଆବଶ୍ୟକ। ଆବଶ୍ୟକ ସ୍ଥଳେ ଏଥିପାଇଁ ଆଇନ ମଧ୍ୟ ପ୍ରଣୟନ କରାଯାଇ ପାରେ ବୋଲି ଶିଶୁ ଅନନ୍ତ ଆଶ୍ରମର ବଶ୍ୱପ୍ରେମୀ ବାବା ବଳିଆ ମତବ୍ୟକ୍ତ କରିଛନ୍ତି। ବାବା ବଳିଆ ଦୁଇ ଦିନିଆ ବୌଦ୍ଧ ଗସ୍ତରେ ଆସି ଗୀତା କଥାମୃତ ଉପରେ ପ୍ରବଚନ ଦେବା ସହ ସୋମବାର ଜଗନ୍ନାଥ ମନ୍ଦିରରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ବାବା ବଳିଆ ଆହୁରି କହିଥିଲେ ଯେ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ନିଯୁକ୍ତି ସମୟରେ ଓଡ଼ିଶାର ଧର୍ମ ଧାରା ଓ ସାଧୁସନ୍ଥଙ୍କ ଇତିହାସ ସହିତ ଓଡ଼ିଆ ଭାଷା ଜାଣିଥିବା ସାଧୁଙ୍କୁ ପୀଠର ପରବର୍ତ୍ତୀ ଶଙ୍କରାଚାର୍ଯ୍ୟ କରାଯାଉ। ବର୍ତ୍ତମାନ ସମାଜରେ ନାରୀ ନିର୍ଯାତନାକୁ ନେଇ ହୋହଲ୍ଲା ହେଉଛି। ମାତ୍ର ପୁରୁଷ ନିର୍ଯାତନା ମଧ୍ୟ କିଛି କମ୍‌ ହେଉ ନାହିଁ। ତେଣୁ ଏହାକୁ ରୋକିବା ପାଇଁ ଆଇନ ପ୍ରଣୟନ ହେବା ଆବଶ୍ୟକ। ଓଡ଼ିଶାରେ ବରପୁତ୍ର ଓ ପ୍ରବାଦ ପୁରୁଷଙ୍କ ଅଭାବ ନଥିବା ବେଳେ କେବଳ ବିଜୁ ପଟ୍ଟନାୟକଙ୍କୁ ସରକାର ପ୍ରବାଦ ପୁରୁଷ କହୁଛନ୍ତି। ମାତ୍ର ପୂଜ୍ୟପୂଜାର ସମ୍ମାନ ରକ୍ଷା କରି ଆମରି ପୂର୍ବ ସୁରୀମାନଙ୍କୁ ମଧ୍ୟ ପ୍ରବାଦ ପୁରୁଷର ଆଖ୍ୟା ଦିଆଯାଉ। ଧର୍ମାନ୍ତରୀକରଣକୁ ସର୍ବଦା ବିରୋଧ କରାଯିବା ଉଚିତ, ଏଥିପାଇଁ ସାଧୁ ସମାଜ, ସରକାର ଓ ଲୋକଙ୍କ ଭିତରେ ମିଳିତ ପ୍ରଚେଷ୍ଟା ହେବା ଦରକାର। କେବଳ ସରକାର ଏହାକୁ ବନ୍ଦ କରିପାରିବେ ନାହିଁ। ବରଂ ହିନ୍ଦୁ ଧର୍ମର ସାଧୁ ଓ ଶଙ୍କରାଚାର୍ଯ୍ୟମାନେ ମଧ୍ୟ ଏଦିଗରେ ଯତ୍ନବାନ ହେବା ଆବଶ୍ୟକ ବୋଲି କହିଥିଲେ। ଗୋହତ୍ୟା ପାଇଁ ଅନ୍ୟ କାହାକୁ ଦୋଷ ଦେବା ପରିବର୍ତ୍ତେ ହିନ୍ଦୁମାନେ ନିଜେ ଗୋବଂଶ ରକ୍ଷା ପାଇଁ ତତ୍ପର ହେବା ସହିତ କଂସେଇ ଖାନାରେ ଗୋ ମାତାଙ୍କୁ ଟେକି ନଦେବା ପାଇଁ ବାବା ବଳିଆ କହିଥିଲେ। ସରକାର ଦୁର୍ନୀତି ବିରୋଧରେ ଅଭିଯାନ ଆରମ୍ଭ କରିଛନ୍ତି। ମାତ୍ର ଏହାର କାର୍ଯ୍ୟାନୁଷ୍ଠାନ ଉପର ରସ୍ତରୁ ବଡ଼ ବଡ଼ ପଦାଧିକାରୀମାନଙ୍କ ଠାରୁ ଆରମ୍ଭ ହେବା କଥା ବୋଲି ସେ କହିଥିଲେ। ଏବେ ସମାଜର ପରିବର୍ତ୍ତନ ସହ ପରଂପରା ମଧ୍ୟ ବଦଳୁଛି। ତେଣୁ ଆମକୁ ଯୁଗପୋଯୋଗୀ ହୋଇ ଚଳିବାକୁ ପଡ଼ିବ ବୋଲି ବାବା ବଳିଆ କହିଥିଲେ।

ସମ୍ବନ୍ଧିତ ଖବର