କୋଭିଡ୍ ହସ୍ପିଟାଲ୍‌‌ରେ ସ୍ବାମୀ ମୃତ, ପତ୍ନୀ ଗୁରୁତର

ଅବ୍ୟବସ୍ଥା ଅଭିଯୋଗ ଆଣିରେ ପୁଅ, ଜ୍ବର, କାଶରେ ଆକ୍ରାନ୍ତ ଯୁବକ ବାଟରେ ପ୍ରାଣ ହରାଇଲେ

କବିସୂର୍ଯ୍ୟନଗର : କବିସୂର୍ଯ୍ୟନଗର ସହରର ଜଣେ ଜଣାଶୁଣା ବ୍ୟବସାୟୀ କରୋନାରେ ଆକ୍ରାନ୍ତ ହୋଇ ଶୀତଳାପଲ୍ଲୀ କୋଭିଡ୍ ହସ୍ପିଟାଲ୍‌ରେ ପ୍ରାଣ ହରାଇଛନ୍ତି। ପତ୍ନୀ ମଧ୍ୟ ସଂକ୍ରମିତ ଥିବାବେଳେ ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଚିକିତ୍ସା ଜାରି ରହିଥିବା ସୂଚନା ମିଳିଛି। ଗତ ଶନିବାର ଦିନ ଦମ୍ପତି ପଜିଟିଭ୍ ଚିହ୍ନଟ ପ‌ରେ ସେମାନଙ୍କୁ ଶୀତଳାପଲ୍ଲୀସ୍ଥିତ କୋଭିଡ୍ ହସ୍ପିଟାଲ୍‌କୁ ନିଆଯାଇଥିଲା। ଗତକାଲି ବିଳମ୍ବିତ ରାତି ପ୍ରାୟ ଗୋଟାଏ ବେଳେ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ତେବେ କୋଭିଡ୍ ହସ୍ପିଟାଲ୍‌ରେ ଅବ୍ୟବସ୍ଥା ହେଉଥିବା ଅଭିଯୋଗ ଆଣି ମୃତକ ବ୍ୟବସାୟୀଙ୍କ ପୁଅ ‘ସମ୍ବାଦ’କୁ ଫୋନ୍ ଯୋଗେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବାପା ଘରେ ଔଷଧ ଖାଇ ଠିକ୍ ଥିଲେ। କୋଭିଡ୍ ପରୀକ୍ଷା ପରେ ତାଙ୍କୁ ଏଠାକୁ ଅଣାଯାଇଥିଲା। ଏଠାରେ ତାଙ୍କୁ ହାଇଡୋଜ୍ ଔଷଧ ଦିଆଯିବା ସହ ରୁଟି ବଦଳରେ ଭାତଡାଲମା ଦିଆଯାଇଥିଲା। ଗତକାଲି ରାତିରେ ବାପାଙ୍କ ମୃତ୍ୟୁ ହେଲା। ସେହିପରି ମାଙ୍କୁ ମଧ୍ୟ ଠିକ୍ ଭାବେ ଚିକିତ୍ସା ଦିଆଯାଉ ନଥିବା ସେ ଅଭି‌ଯୋଗ କରିଛନ୍ତି।

ଅନ୍ୟପକ୍ଷରେ ଗୋପୀନାଥପାଟଣା ସାହିର ଜଣେ ଯୁବକ ଗତ ୧୦ ଦିନ ହେଲା ଜ୍ବର, କାଶ ଓ ଥଣ୍ଡାରେ ଆକ୍ରାନ୍ତ ଥିଲେ। ଆଜି ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଆମ୍ବୁଲାନ୍ସ୍ ଯୋଗେ ଶୀତଳାପଲ୍ଲୀ କୋଭିଡ୍ ହସ୍ପିଟାଲ୍‌କୁ ନିଆଯାଇଥିଲା। ହେଲେ ରାସ୍ତାରେ ସେ ପ୍ରାଣ ହରାଇଥିଲେ। ଶବଦାହ ପାଇଁ ଆମ୍ବୁଲାନ୍ସ୍ ଗାଁରେ ପହଞ୍ଚିଥିଲେ ବି ମଧ୍ୟ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଥିଲା।

ସମ୍ବନ୍ଧିତ ଖବର