ବୀରମହାରାଜପୁର/ସୁବଳୟା: ଜ୍ବାଇଁ ଘର ଗାଁରେ ପୋଖରୀରେ ଗାଧୋଇବା ସମୟରେ ସ୍ତ୍ରୀ ଆଗରେ ସ୍ବାମୀ ପାଣିରେ ବୁଡ଼ିଯାଇଛନ୍ତି। ପାଣିରେ ବୁଡ଼ିଯାଉଥିବା ସ୍ବାମୀଙ୍କୁ ଉଦ୍ଧାର କରିବା ପାଇଁ ସ୍ତ୍ରୀ ଗୁରୁତର ହୋଇଛନ୍ତି। ଏହି ଅପ୍ରୀତିକର ଅଘଟଣରେ ୮୦ ବର୍ଷୀୟ ସ୍ବାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ଥାନୀୟ ଲୋକେ ମୃତକଙ୍କ ସ୍ତ୍ରୀଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ମୁର୍ଷୁଣ୍ଢି ପଞ୍ଚାୟତ ଅନ୍ତର୍ଗତ କର୍ଡାପାଲ ଗ୍ରାମରେ ଶୁକ୍ରବାର ଏହି ଅଘଟଣ ଘଟିଛି। ମୃତ ବ୍ୟକ୍ତି ହେଲେ ଉଦ୍ଧବ ପଧାନ(୭୫)। ଗୁରୁତର ମାଳତୀ ପଧାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଅନ୍ତର୍ଗତ ଭରତାପୁର ଗ୍ରାମପଞ୍ଚାୟତର ବିଶ୍ଵନାଥପୁର ଗ୍ରାମର ଉଦ୍ଧବ ପଧାନ ନିଜ ସ୍ତ୍ରୀ ମାଳତୀଙ୍କ ସହିତ ଜ୍ବାଇଁଙ୍କ ଘର ତଥା ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅଧୀନ କର୍ଡାପାଲ ଗ୍ରାମକୁ ଆସିଥିଲେ। ତାଙ୍କ ଜ୍ବାଇଁ ବାଇଧର ବିଶ୍ବାଳ କିଡ୍ନି ରୋଗରେ ଆକ୍ରାନ୍ତ ହୋଇ ଏବେ ବୌଦ୍ଧରେ ଡ଼ାଇଲିସିସ୍ ହେଉଛନ୍ତି। ତାଙ୍କୁ ଦେଖିବାକୁ ଉଭୟ ସ୍ବାମୀ ଓ ସ୍ତ୍ରୀ ଆସିଥିଲେ। ଉଭୟ ସ୍ବାମୀ ସ୍ତ୍ରୀ ଆଜି ମଧ୍ୟାହ୍ନରେ ଗ୍ରାମର ପାନଖିଆ ବନ୍ଧକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ସ୍ବାମୀ ଉଦ୍ଧବଙ୍କ ଗୋଡ ଖସି ଯିବାରୁ ସେ ପାଣିରେ ବୁଡି ଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ତାଙ୍କ ସ୍ତ୍ରୀ ମାଳତୀ ମଧ୍ୟ ଗୁରୁତର ହୋଇଥିଲେ।
ଖବର ପାଇ ବୀରମହାରାଜପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଭୟ ଉଦ୍ଧବ ଓ ମାଳତୀଙ୍କୁ ଉଦ୍ଧାର କରି ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ଉଦ୍ଧବଙ୍କୁ ମୃତ ଘୋଷଣା କରିଥିଲେ। ଖବର ଲେଖାଯିବା ପର୍ଯ୍ୟନ୍ତ ମାଳତୀଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ଥିବା ଜଣାପଡିଛି। ପୁଲିସ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ସ୍ଥାନୀୟ ଥାନା ଅଧିକାରିଣୀ ରଜେଶ୍ୱରୀ ଭୋଇ ପ୍ରକାଶ କରିଛନ୍ତି। ଦୁର୍ଘଟଣା ଖବର ପାଇଁ ବ୍ଲକ୍ ଉପାଧ୍ୟକ୍ଷ ନାରାୟଣ ଲୁହା ମଧ୍ୟ ଘଟଣାସ୍ଥଳକୁ ପହଞ୍ଚି ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/4e46bd07-d138-47f9-85e4-43f7cf0ea037.jpeg)