ପତ୍ନୀଙ୍କୁ ପୋଡ଼ି ମାରିବା ପରେ ବିଷ ପିଇଲ‌ା ସ୍ବାମୀ

ନିଆଁ ଭିତରେ ଶବ ଠାବ କଲା ପୁଲିସ, ଏବେ ବି ରହସ୍ୟ ଘେରରେ ହତ୍ୟାକାଣ୍ଡ

ବାହାନଗା/ଗୋପାଳପୁର : ସଂସାର ଠିକ୍‌ଠାକ୍‌ ଚାଲିଥିଲା। ହେଲେ ଏମିତି କ’ଣ ହେଲା କେଜାଣି, ଜଣେ ପତି ତା’ର ପତ୍ନୀକୁ ଅତି ନିର୍ମମ ଭାବେ ମାଡ଼ ମାରି ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବାକୁ ଶବକୁ ପୋଡ଼ିଦେଇଛି। ଖାଲି ସେତିକି ନୁହେଁ, ହତ୍ୟା ଅଭିଯୁକ୍ତ ସ୍ବାମୀ ବିଷ ପିଇ ଆତ୍ମହତ୍ୟା କରିବା ପାଇଁ ମଧ୍ୟ ଉଦ୍ୟମ କରିଛି। ତେବେ ସେ ନିଜେ ଡାକ୍ତରଖାନାରେ ପହଂଚି ସବୁ କଥା କହିବା ପରେ ଚାରିଆଡ଼େ ଚାଂଚଲ୍ୟ ଖେଳିଯାଇଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା ଅଧୀନ ନୂଆପୁର ଗ୍ରାମ ଧଇଁଆ ସାହିରେ।

ସୂଚନା ଅନୁସାରେ; ଆଜି ସନ୍ଧ୍ୟା ପ୍ରାୟ ୭ଟା ୩୦ ମିନିଟ୍‌ ସମୟରେ ନୂଆପୁର ଗ୍ରାମ ଧଇଁଆ ସାହିର ସନାତନ ମଳିକଙ୍କ ପୁଅ ନୀଳାମ୍ବର ମଳିକ (୪୫) ବିଷ ପିଇଦେଇଥିଲେ। ପରେ ସେ ନିଜେ ଗୁରୁତର ଅବସ୍ଥାରେ ଗୋପାଳପୁର ଡାକ୍ତରଖାନାରେ ଯାଇ ପହଂଚିଥିଲେ। ସେଠାରେ ବିଚଳିତ ନୀଳାମ୍ବରଙ୍କୁ ଦେଖି ପ୍ରଥମେ କେହି କିଛି ବୁଝିପାରୁନଥିଲେ। ତାଙ୍କ ଅବସ୍ଥା ଦେଖି ଡାକ୍ତରଖାନା କର୍ମଚାରୀମାନେ ଚିକିତ୍ସା ଆରମ୍ଭ କରିଥିଲେ। ହେଲେ ଚିକିତ୍ସା ଚାଲିଥିବା ବେଳେ ନୀଳାମ୍ବର ଯାହା କହିଲେ, ତାକୁ ଶୁଣି ଡାକ୍ତରଖାନାରେ ସମସ୍ତେ ହତବାକ୍‌ ହୋଇଯାଇଥିଲେ। ନିଜ ପତ୍ନୀଙ୍କୁ ପିଟିପିଟି ମାରିଦେବା ପରେ ବିଲରେ ଥିବା ନଡ଼ାଗଦାରେ ପକାଇ ପୋଡ଼ିଦେଇଥିବା ସେ କହିଥିଲେ। ଫଳରେ ଡାକ୍ତରଖାନା ପକ୍ଷରୁ ଏ ନେଇ ଗୋପାଳପୁର ଫାଣ୍ଡିକୁ ଖବର ଦିଆଯାଇଥିଲା। ପୁଲିସ ସଂଗେ ସଂଗେ ଗୋପାଳପୁର-ତାଳପଦା ମୁଖ୍ୟ ରାସ୍ତାର ଅରଳା ଗ୍ରାମ ନିକଟରେ ଥିବା ଉକ୍ତ ବିଲରେ ପହଂଚିଥିଲା। ସେଠାରେ ନଡ଼ାଗଦା ଜଳୁଥିବା ବେଳେ ‌ସାବିତ୍ରୀଙ୍କ ଦରପୋଡ଼ା ଶବ ଠାବ ହୋଇଥିଲା। ସେହିପରି ଶବ ନିକଟସ୍ଥ ଏକାଧିକ ସ୍ଥାନରେ ରକ୍ତ ପଡ଼ିଥିବା ମଧ୍ୟ ଦେଖିବାକୁ ମିଳିଥିଲା।

ଖବର ଲେଖା ହେବା ବେଳକୁ ଫାଣ୍ଡି ଅଧିକାରୀ ବଂଶୀଧର ପ୍ରଧାନ ଓ ଏଏସ୍‌ଆଇ ପର୍ଶୁରାମ ଜେନା ବିଲରେ ଉପସ୍ଥିତ ରହି ଘଟଣାର ତଦନ୍ତ ଚଳାଇଥିବା ବେଳେ ଦୁଇଟି ଦମକଳ ଗାଡ଼ି ପହଂଚି ନିଆଁକୁ ଆୟତ୍ତ କରିଛି। ଅନ୍ୟପଟେ ଗୁରୁତର ନୀଳାମ୍ବର ବାଲେଶ୍ବର ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ; ଗୁରୁତର ନୀଳାମ୍ବର ଓ ମୃତ ସାବିତ୍ରୀଙ୍କ ଦୁଇ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ପତିପତ୍ନୀ ଦୁହେଁ ୪ ବର୍ଷ ହେବ ଭାଗଚାଷ କରି ପରିବାର ପ୍ରତିପୋଷଣ କରୁଥିଲେ। ଏପରି ସମୟରେ ପତି ନିଜ ପତ୍ନୀଙ୍କୁ ହତ୍ୟା କରିବା ଭଳି ଜଘନ୍ୟ ନିଷ୍ପତ୍ତି କହିଁକି ନେଲେ, ସେନେଇ ନିର୍ଦିଷ୍ଟ ଭାବେ କିଛି ଜଣାପଡ଼ିନାହିଁ।

ସମ୍ବନ୍ଧିତ ଖବର