କୋଇଡା: ନିଷ୍ଠୁର ଦଇବ! ସ୍ତ୍ରୀଙ୍କ ବିୟୋଗ ଓ କୁନି ଶିଶୁକନ୍ୟାର କାନ୍ଦ ସମ୍ଭାଳି ନପାରି ବେକରେ ରସି ଲଗାଇ ସ୍ବାମୀ ଝୁଲିପଡ଼ିଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ଟେନସା ଫାଣ୍ଡି ଅନ୍ତର୍ଗତ ଜିରୋ ପଏଣ୍ଟ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତବ୍ୟକ୍ତି ହେଲେ ନନ୍ଦଲାଲ ଚାମ୍ପିଆ (୨୩)।

Advertisment

ସୂଚନା ଅନୁସାରେ ଏକ ତିନି ମାସର ଶିଶୁକନ୍ୟା ସହ ହସଖୁସିରେ ଜୀବନ ଅତିବାହିତ କରୁଥିଲେ ନନ୍ଦଲାଲ ଚାମ୍ପିଆ ଓ ସ୍ତ୍ରୀ ଜିନେସ କାଣ୍ଡୁଲାନା (୧୯ )। ହେଲେ ଗତ ଜାନୁଆରି ୨୬ ତାରିଖରେ ଅତ୍ୟଧିକ ଥଣ୍ଡା ଯୋଗୁଁ ନିଆଁ ପୁଇଁ ହେଉଥିବା ବେଳେ ସ୍ତ୍ରୀ ଦେହରେ ନିଆଁ ଲାଗି ଯାଇଥିଲା। ତାଙ୍କୁ ଗୁରୁତ୍ବର ଅବସ୍ଥାରେ ରାଉରକେଲା ଜେପି ହସପିଟାଲ ଠାରେ ଭର୍ତ୍ତି କରାଯାଇଥିଲା। ସେହିଦିନ ଠାରୁ ଜିନେସ୍‌ ଚିକିତ୍ସାଧୀନ ଥିଲେ। ମା’ ଗୁରୁତର ଅବସ୍ଥାରେ ବି ସାଙ୍ଗରେ ଥାଏ କଅଁଳ ଶିଶୁ । ହେଲେ ଭାଗ୍ୟର ବିଡମ୍ବନା ଗତ ୨୦ ତାରିଖରେ ଜିନେସଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।

ସ୍ତ୍ରୀଙ୍କ ମୃତ୍ୟୁ ସାଙ୍ଗକୁ କଅଁଳ ଶିଶୁକନ୍ୟାର ଚିତ୍କାର କାନ୍ଦ ସହି ନପାରି ଆଜି ଟେନସା ଜିରୋ ପଏଣ୍ଟ ନିକଟସ୍ଥ ଏକ ଆମ୍ବ ଗଛରେ ବେକରେ ରଶି ଲଗାଇ ସ୍ୱାମୀ ନନ୍ଦଲାଲ ଚାମ୍ପିଆ ଝୁଲିପଡ଼ିଥିଲେ।

ଖବର ପାଇ ଘଟଣାସ୍ଥଳରେ ଟେନସା ଫାଣ୍ଡି ଅଧିକାରୀ ସୁଦର୍ଶନ ଦେହୁରୀ ପହଞ୍ଚି ଶବ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ ସହ ବ୍ୟବଛେଦ ନିମନ୍ତେ କୋଇଡା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି । ଅନ୍ୟପଟେ ଦୁନିଆକୁ ବୁଝି ନ ଥିବା କଅଁଳ ଶିଶୁ ଏବେ ସମ୍ପୁର୍ଣ୍ଣ ଅନାଥ ହୋଇଯାଇଛି। ଭୋକ ବିକଳରେ କରୁଣ କାନ୍ଦ ଆଗରେ ଫାଟି ପଡୁଛି ଅଞ୍ଚଳ ବାସୀଙ୍କ ହୃଦୟ।