ତିନି ମାସର ପ୍ରେମ ବିବାହରେ ପୂର୍ଣ୍ଣଚ୍ଛେଦ : ପତ୍ନୀଙ୍କୁ ତଣ୍ଟି ଚିପି ହତ୍ୟା, ଟ୍ରେନ୍‌ ଆଗକୁ ଡେଇଁ ପଡ଼ିଲେ ସ୍ବାମୀ

ପୁରୀ : ତିନି ମାସ ତଳେ ପ୍ରେମ ବିବାହ କରିଥିଲେ। ହେଲେ ହସଖୁସିର ସଂସାର ବେଶୀ ଦିନ ଗଲାନି। ବିଶ୍ବାସ ବଦଳରେ ସନ୍ଦେହ ହେଲା କାଳ। ଶେଷରେ ପତ୍ନୀଙ୍କୁ ହତ୍ୟା କରି ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଛି ସ୍ବାମୀ। ଏହି ଘଟଣା ଆଜି ପୁରୀ ସହରରେ ଚର୍ଚ୍ଚାର ବିଷୟ ହୋଇଛି। ମୃତ ଦଂପତି ହେଲେ ନବକଳେବର ରୋଡ୍ ନୂଆସାହିର ସନ୍ତୋଷ ବେହେରା (୨୭) ଓ ତାଙ୍କ ପତ୍ନୀ ଶୁଭସ୍ମିତା ମହାନ୍ତି (୨୩)। ଗତ ମେ ମାସ ୮ ତାରିଖରେ ଉଭୟଙ୍କର ବିବାହ ହୋଇଥିଲା ମାତ୍ର ବିବାହର ତିନି ମାସ ଯାଉଣୁ ଆଜି ଉଭୟଙ୍କ ପରିବାର ଲୋକ ଦୁହିଁଙ୍କର ଶବ ଦେଖିଛନ୍ତି।

ସୂଚନା ମୁତାବକ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ହୋଟେଲ ତ୍ରିମୂର୍ତ୍ତିରେ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟରତ ଶୁଭସ୍ମିତା ଓ ତୋଷାଳୀ ସ୍ୟାଣ୍ଡରେ କାମ କରୁଥିବା ସନ୍ତୋଷଙ୍କ ମଧ୍ୟରେ ଦୀର୍ଘ ୪ ବର୍ଷ ତଳୁ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଉଭୟଙ୍କ ପରିବାର ଲୋକ ସେମାନଙ୍କ ସମ୍ପର୍କକୁ ସ୍ବୀକୃତି ଦେଇ ଗତ ମେ ମାସ ୮ ତାରିଖରେ ଦୁହିଁଙ୍କର ବିବାହ କରାଇଥିଲେ। ବିବାହର କିଛି ଦିନ ପରେ ସନ୍ତୋଷ ପୁନେକୁ ଚାଲିଯାଇ ସେଠାରେ ଏକ ହୋଟେଲରେ ଚାକିରି କରିଥିଲେ। ଗତ ଶୁକ୍ରବାର ଦିନ ସନ୍ତୋଷ ପୁନେରୁ ଆସି ଭୁବନେଶ୍ବରରେ ନିଜ ଶାଳକଙ୍କ ପାଖରେ ରହିଥିଲେ। ଅନ୍ୟପଟେ ଶୁଭସ୍ମିତା ଶ୍ବଶୁର ପ୍ରଫୁଲ୍ଲଙ୍କ ସହିତ ତାଙ୍କ ଗାଁ ଜଗତସିଂହପୁରକୁ ଯାଇଥିଲେ। ସ୍ବାମୀ ସନ୍ତୋଷ ଫେରିବା ଜାଣିବା ପରେ ଶୁଭସ୍ମିତା ନିଜ ଶାଶୂଙ୍କ ସହିତ ଗତକାଲି ପୁରୀ ଫେରି ଆସିଥିଲେ। ସେହି ରାତିରେ ବି ପୁରୀ ଫେରିଥିଲେ ସନ୍ତୋଷ। । ମାତ୍ର କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ତେବେ ଆଜି ଭୋର ସାଢ଼େ ପାଞ୍ଚଟାରେ ଶୁଭସ୍ମିତାଙ୍କ ଫୋନ୍‌ରୁ ତାଙ୍କ ବାପ ଘରକୁ ସନ୍ତୋଷ ଫୋନ କରିଥିଲେ। ଶାଶୂ ଫୋନ୍‌ ଉଠାଇବା ପରେ ଶୁଭସ୍ମିତାଙ୍କ ତଣ୍ଟି ଚିପି ହତ୍ୟା କରିଥିବା ସଂପର୍କରେ ଜଣାଇଥିଲେ ସନ୍ତୋଷ।

ପ୍ରଥମେ ବିଶ୍ବାସ କରିନଥିଲେ ମଧ୍ୟ କୁମ୍ଭାରପଡ଼ା ଥାନା ଅବକାଶ ଲେନ୍‌ରେ ଭଡ଼ାରେ ରହୁଥିବା ଶୁଭସ୍ମିତାଙ୍କ ବାପ ଘର ଲୋକେ ନବକଳେବର ରୋଡ୍‌ସ୍ଥିତ ସନ୍ତୋଷଙ୍କ ଘରକୁ ଆସି ତାଙ୍କ ଶୋଇବା ଘରକୁ ଭାଙ୍ଗି ପଶିବା ପରେ ଝିଅର ରକ୍ତାକ୍ତ ଶବ ଖଟରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ଅଟୋ ଡାକି ଶୁଭସ୍ମିତାଙ୍କୁ ଡାକ୍ତରଖାନା ନେଇଥିଲେ ପରିବାର ଲୋକେ, କିନ୍ତୁ ସେ ଆଉ ଜୀବିତ ନଥିବା ଡାକ୍ତର କହିଥିଲେ। ସେପଟେ ପତ୍ନୀ ଶୁଭସ୍ମିତାଙ୍କୁ ହତ୍ୟା କରିବା ପରେ ସନ୍ତୋଷଙ୍କର ମାନସିକ ଅବସ୍ଥା ବିଗିଡ଼ି ଯାଇଥିଲା। ପତ୍ନୀଙ୍କ ଶବକୁ ଖଟ ଉପରେ ଛାଡ଼ି ଶୋଇବା ଘର ବାହାରୁ ତାଲା ପକାଇଥିଲେ ସନ୍ତୋଷ। ଅଧ ଘଣ୍ଟା ପରେ ଆସୁଛି କହି ସନ୍ତୋଷ ଘର ପଛପଟେ ଯାଇଥିବା ଟ୍ରେନ୍ ଲାଇନକୁ ଚାଲି ଯାଇଥିଲେ। ସେତେବେଳେ ସକାଳ ପ୍ରାୟ ୬ଟା। ରେଳଧାରଣାରେ ମାଡ଼ି ଆସିଥିଲା ଶତାବ୍ଦୀ ଏକ୍ସପ୍ରେସ୍‌। ସେଇଠି ଟ୍ରେନ୍‌ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଥିଲେ ସନ୍ତୋଷ। ଟ୍ରେନ୍ ଡ୍ରାଇଭରଙ୍କଠାରୁ ସୂଚନା ପାଇ ପୁରୀ ଜିଆର୍‌ପି ଥାନା ପୁଲିସ ଘଟଣାସ୍ଥଳରୁ ଅପରିଚିତ ମୃତଦେହକୁ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ମୃତକଙ୍କ ପ୍ୟାଣ୍ଟ ପକେଟରେ ଥିବା ଭୋଟର ପରିଚୟପତ୍ର ପାଇବା ପରେ ସେ ନବକଳେବର ରୋଡ୍ ନୂଆସାହିର ସନ୍ତୋଷ ବେହେରା ବୋଲି ଜଣାପଡ଼ିଥିଲା।

ଉଭୟ ପ୍ରେମ ବିବାହ କରିଥିଲେ। କିନ୍ତୁ କୌଣସି ଏକ ସମ୍ପର୍କକୁ ନେଇ ଦୁଇ ମାସ ତଳେ ପୁଅ-ବୋହୂଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ହୁଏତ ଏହି କାରଣକୁ ନେଇ ଗତକାଲି ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇ ହତ୍ୟାକାଣ୍ଡ ଘଟିଛି ବୋଲି ସନ୍ତୋଷଙ୍କ ମା’ ସନ୍ଦେହ କରିଛନ୍ତି। ଅନ୍ୟପକ୍ଷରେ ଯୌତୁକ ପାଇଁ ଶୁଭସ୍ମିତାଙ୍କୁ ଶାଶୂ ଘର ଲୋକେ ହତ୍ୟା କରିଥିବା ମା ଅନିତା ମହାନ୍ତି ଅଭିଯୋଗ କରିଛନ୍ତି। ଏ ନେଇ ଶୁଭସ୍ମିତାଙ୍କ ଶାଶୂ, ଶ୍ବଶୁର, ଯା’ ସହିତ ସନ୍ତୋଷ ସାମିଲ ଥିବା ନେଇ ତାଳବଣିଆ ଥାନାରେ ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର