ଡାକ୍ତରଖାନାରେ ସ୍ତ୍ରୀର ମୃତଦେହ ଛାଡ଼ି ସ୍ବାମୀ ଚମ୍ପଟ

୩ ମାସର ଗର୍ଭବତୀ ଥି‌ଲେ ମହିଳା, ମହିଳାଙ୍କ ବାପଘର ଲୋକଙ୍କୁ ଡକାଇଲା ପୁଲିସ

ପୁରୀ : ଗର୍ଭବତୀ ସ୍ତ୍ରୀର ମୃତଦେହକୁ ଛାଡ଼ି ପଳାଇଲା ସ୍ବାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ। ମୃତ ସ୍ତ୍ରୀ ହେଉଛନ୍ତି କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ବିସିଂହପୁରର ଗାୟତ୍ରୀ ପାତ୍ର(୨୨)। ସ୍ବାମୀ ଟୁନା ପାତ୍ରଙ୍କ ଘର ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳରେ। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ସାତପଡ଼ା ଫାଣ୍ଡି ପୁଲିସ ଏ ସମ୍ପର୍କରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସ୍ବାମୀର କୌଣସି ସନ୍ଧାନ ନ ମିଳିବାରୁ ସେମିଳିଗୁଡ଼ାରୁ ପରିବାର ଲୋକଙ୍କୁ ପୁରୀ ଆସିବାକୁ ପୁଲିସ ଡକାଇଛି। ଅନ୍ୟପଟେ ଗାୟତ୍ରୀଙ୍କ ମୃତଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମୃତଦେହ ସଂରକ୍ଷଣ ଗୃହରେ ରଖାଯାଇଛି। ତେବେ କେଉଁ ପରିସ୍ଥିତିରେ ଗାୟତ୍ରୀଙ୍କ ମୃତ୍ୟୁ ହେଲା, ତାହା ସନ୍ଦେହ ସୃଷ୍ଟି କରିଛି।

ମିଳିଥିବା ସୂଚନା ମୁତାବକ, କିଛିମାସ ତଳେ ଟୁନାଙ୍କ ସହ ଗାୟତ୍ରୀଙ୍କ ବିବାହ ହୋଇଥିଲା। ଟୁନା ‌ଦିନ ମଜୁରିଆ ଭାବେ କାମ କରନ୍ତି। ବିବାହ ପରେ ସ୍ବାମୀସ୍ତ୍ରୀ ଆସି ବ୍ରହ୍ମଗିରି ଥାନା ଅଧୀନ ସାତପଡ଼ା ଫାଣ୍ଡି ଅନ୍ତର୍ଗତ ବାଙ୍କିଝୋଳ ଗାଁରେ ଭଡ଼ାରେ ରହୁଥିଲେ। ଗାୟତ୍ରୀ ତିନି ମାସର ଗର୍ଭବତୀ ଥିଲେ। ଗତକାଲି ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ସ୍ବାମୀ ଟୁନା ଓ ଘର ମାଲିକାଣୀ ଗାୟତ୍ରୀଙ୍କୁ କେରାଣ୍ଡିଆ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଡାକ୍ତର ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇ ଦେଇଥିଲେ। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗାୟତ୍ରୀ ପହଞ୍ଚିବାପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ଖବର ଶୁଣି ପାଖରୁ ଆସୁଛୁ କହି ଦୁଇଜଣ ଗାୟତ୍ରୀଙ୍କ ମୃତଦେହ ଛାଡ଼ି ଗତକାଲି ରାତିରୁ କେଉଁଆଡ଼େ ଚମ୍ପଟ ମାରିଛନ୍ତି।

ମୃତଦେହ ସେହିଭଳି ପଡ଼ି ରହିବା ପରେ ସାତପଡ଼ା ଫାଣ୍ଡି ପୁଲିସ ସ୍ବାମୀ ଟୁନା ଓ ଘର ମାଲିକାଣୀଙ୍କୁ ଖୋଜାଖୋଜି ଆରମ୍ଭ କରିଛି। ଆଜି ସୁଦ୍ଧା ଦୁଇଜଣଙ୍କ ସନ୍ଧାନ ମିଳିନଥିବା ପୁଲିସ କହିଛି। ଅନ୍ୟପଟେ ଗାୟତ୍ରୀଙ୍କ ଘରକୁ ବ୍ରହ୍ମଗିରି ଥାନା ପକ୍ଷରୁ ଯୋଗାଯୋଗ କରାଯାଇଥିଲା। କିନ୍ତୁ ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିବାରୁ ପୁରୀ ଆସିବାକୁ ଘର ଲୋକେ ଅମଙ୍ଗ ‌ହୋଇଥିଲେ। ପରେ ପୁଲିସ ଆର୍ଥିକ ସହାୟତା ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେବାପରେ ପରିବାର ଲୋକେ ପୁରୀ ଆସିବାକୁ ସହମତି ପ୍ରକାଶ କରିଛନ୍ତି। ଗାୟତ୍ରୀର ଘର ଲୋକେ ଆସିବାପରେ ସେ କେବେ ବିବାହ କରିଥିଲା, କେବେଠୁ ଏଠାରେ ରହିଲେଣି, କେମିତି ଗାୟତ୍ରୀଙ୍କ ମୃତ୍ୟୁ ହେଲା ଜଣାପଡ଼ିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର