ଗର୍ଭରେ ପୁଅ ନଥିବାରୁ ବୋହୂକୁ ଜାଳିଦେଲେ! ସ୍ବାମୀ, ଶ୍ବଶୁର ସମେତ ୪ ଅଟକ

ରାଉରକେଲା: ଏବେ ବି ଲୋକଙ୍କ ମନରୁ ହଟିନି ପୁତ୍ର ସନ୍ତାନର ମୋହ। ପୁଅଟିଏ ପାଇଁ ଲୋକେ ଆଜି ମଧ୍ୟ ଅମଣିଷ ଭଳି କାମ କରିବାକୁ ପଛାଉ ନାହାନ୍ତି। ଏଭଳି ଅମଣିଷପଣିଆର ଏକ ନଗ୍ନଚିତ୍ର ଦେଖିବାକୁ ମିଳିଛି ଇସ୍ପାତ ସହରର ବନ୍ଧମୁଣ୍ଡା କୋଇଲା ଗେଟ୍‌ ବସ୍ତିରେ। ପୁଅ ନହେବାରୁ ଶ୍ବଶୁରଘର ଲୋକମାନେ ୮ ମାସର ଗର୍ଭବତୀ ବୋହୂଙ୍କୁ ଜାଳି ମାରି ଦେଇଛନ୍ତି। ଏମିତି ଗୁରୁତର ଅଭିଯୋଗ ଆଣିଛନ୍ତି ମହିଳାଙ୍କ ବାପା ଶିବପ୍ରସାଦ ସ୍ବର୍ଣ୍ଣକାର। ତାଙ୍କ ଏତଲା ଆଧାରରେ ଆଜି ବନ୍ଧମୁଣ୍ଡା ପୁଲିସ ମାମଲା ରୁଜୁ କରିଛି। ପୁଲିସ ଏବେ ମୃତ ମହିଳାଙ୍କ ସ୍ବାମୀ ବିନୋଦ ସିଂହ, ଶ୍ବଶୁର ରାମକ୍ରିତ ସିଂହ, ଯାଆ ମୁନି ଦେବୀ ଓ ଦେଢ଼ଶୁର ଜୟ ମଙ୍ଗଳ ସିଂହଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି।

ଗୋପବନ୍ଧୁପାଲି ବସ୍ତିରେ ଶିବ ପ୍ରସାଦ ସ୍ବର୍ଣ୍ଣକାର ନିଜ ପରିବାର ସହ ରହନ୍ତି। ତାଙ୍କ ଝିଅ ରାଧାକୁମାରୀ (୨୬) ୨୦୧୪ ମାର୍ଚ୍ଚରେ ବନ୍ଧମୁଣ୍ଡା କୋଇଲା ଗେଟ୍‌ ବସ୍ତିର ରାମକ୍ରିତ୍‌ ସିଂହଙ୍କ ପୁଅ ବିନୋଦ ସିଂହଙ୍କୁ ବିବାହ କରିଥିଲେ। ବିବାହ ବେଳେ ଶ୍ବଶୁର ଘରର ଦାବି ମୁତାବକ ଶିବପ୍ରସାଦ ସମସ୍ତ ଜାନିଯୌତୁକ ଦେଇଥିଲେ। ବିବାହ ପରେ ପତିପତ୍ନୀ ବେଶ୍‌ ହସଖୁସିରେ ରହିଥିଲେ। ରାଧାକୁମାରୀଙ୍କ ବାପା ଶିବପ୍ରସାଦଙ୍କ ଅଭିଯୋଗ ଅନୁଯାୟୀ, ବିନୋଦ ସୁରଟର ଏକ ଶାଢ଼ି କାରଖାନାରେ କାମ କରୁଥିଲେ। ସେଥିପାଇଁ ସେ ରାଧାକୁମାରୀଙ୍କୁ ସୁରଟ ନେଇ ଯାଇଥିଲେ। ୨୦୧୫ରେ ରାଧାକୁମାରୀ ସେଠାରେ ଗର୍ଭବତୀ ହୋଇଥିଲେ। ତେବେ ତାଙ୍କ ଗର୍ଭରେ କନ୍ୟା ସନ୍ତାନ ଥିବା ବିନୋଦ କୁଆଡ଼େ ମେଡିକାଲ ଯାଞ୍ଚରୁ ଜାଣିବାକୁ ପାଇଥିଲେ। ଝିଅ ପାଇଁ ଇଚ୍ଛା ନଥିବାରୁ ସେ ପତ୍ନୀଙ୍କୁ ହସ୍ପିଟାଲ ନେଇ ଗର୍ଭନଷ୍ଟ କରାଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ମାରପିଟ ମଧ୍ୟ କରିଥିଲେ। ଏ କଥା ଜାଣିବା ପରେ ଶ୍ବଶୁର ରାମକ୍ରିତ୍‌ ବୋହୂକୁ ଧରି ରାଉରକେଲା ଚାଲି ଆସିବାକୁ ପୁଅ ବିନୋଦଙ୍କୁ ତାଗିଦ କରିଥିଲେ। ଫଳରେ ୨୦୧୬ରେ ବିନୋଦ ପତ୍ନୀଙ୍କୁ ନେଇ ରାଉରକେଲା ଚାଲି ଆସିଥିଲେ। ତାର ବର୍ଷକ ପରେ ୨୦୧୭ରେ ରାଧାକୁମାରୀଙ୍କ ଗର୍ଭରୁ ଝିଅଟିଏ ଜନ୍ମ ହୋଇଥିଲା। ଶିବପ୍ରସାଦ ଅଭିଯୋଗ କରିଛନ୍ତି ଯେ ତାପରେ ତାଙ୍କ ଝିଅ ଉପରେ ସ୍ବାମୀଙ୍କ ସମେତ ଶ୍ବଶୁରଘର ଲୋକଙ୍କ ଅତ୍ୟାଚାର ବଢ଼ି ଯାଇଥିଲା। ମାଡ଼ଗାଳି ସହି ମଧ୍ୟ ଝିଅ କାହାକୁ କିଛି ନକହି ଚୁପ୍‌ ରହୁଥିଲା। ୨୦୧୯ ମେ’ ମାସରେ ରାଧାକୁମାରୀ ପୁଣି ଗର୍ଭବତୀ ହୋଇଥିଲେ। ଡିସେମ୍ବର ମାସରେ ତାଙ୍କୁ ମେଡିକାଲ ଯାଞ୍ଚ ପାଇଁ ନିଆ ଯାଇଥିଲା। ତାଙ୍କ ଗର୍ଭରେ ପୁଣି କନ୍ୟା ସନ୍ତାନ ଥିବା ଜାଣିବା ପରେ ଶ୍ବଶୁର ଘର ପକ୍ଷରୁ ଚାଲିଥିବା ଅତ୍ୟାଚାର ସୀମା ଡେଇଁଥିଲା। ଗତ ୧ ତାରିଖ ଦିନ କୌଣସି କଥାକୁ କେନ୍ଦ୍ରକରି ଶ୍ବଶୁର ଘର ଲୋକେ ରାଧାକୁମାରୀଙ୍କ ସହିତ ଝଗଡ଼ା‌ କରିବା ସହ ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌) ବର୍ଣ୍ଣ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ୮ ମାସର ଗର୍ଭବତୀ ଥିବା ରାଧାକୁମାରୀ ସେଠାରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ସମୟ ପୂର୍ବରୁ ଜନ୍ମ ହୋଇଥିବା ସେହି ନବଜାତ ଶିଶୁକନ୍ୟାର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାକୁ ଆର୍‌ଜିଏଚ୍‌ରୁ ନେଇ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା। ତେବେ ଗତ ୩ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ନବଜାତ ଶିଶୁକନ୍ୟାଟିର ମୃତ୍ୟୁ ଘଟିଥିଲା। ତାର ଏକ ସପ୍ତାହ ପରେ, ଅର୍ଥାତ୍‌ ଗତକାଲି ରାତି ପ୍ରାୟ ସାଢ଼େ ୯ଟାରେ ମାଆ ରାଧାକୁମାରୀଙ୍କର ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।

ବନ୍ଧମୁଣ୍ଡା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି। ଶବ ବ୍ୟବଚ୍ଛେଦ ରି‌ପୋର୍ଟ ଆସିବା ପରେ ମହିଳାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଥାନା ଅଧିକାରୀ ଶୁଭରାଜ ଧାରୁଆ କହିଛନ୍ତି। ପୁଅଟିଏ ପାଇଁ ଲୋକଙ୍କ ମନରେ ଥିବା ହାଇଁପାଇଁ ସମେତ ଆଉ ଗୋଟିଏ କଥା ଏହି ଘଟଣାରୁ ସ୍ପଷ୍ଟ ହୋଇ ଯାଉଛି। ତା ହେଉଛି, ଗର୍ଭସ୍ଥ ଭ୍ରୂଣର ଲିଙ୍ଗ ନିରୂପଣ ବେଆଇନ ଏବଂ ତା’ ବିରୋଧରେ କଡ଼ା ଦଣ୍ଡ ଅଛି ବୋଲି ସରକାର ପ୍ରଚାର କରୁଛନ୍ତି, କିନ୍ତୁ ଅସଲରେ ସେ ଆଇନ ଏକ ଖୋଲା ପ୍ରହସନରେ ପରିଣତ ହୋଇଛି।

ସମ୍ବନ୍ଧିତ ଖବର