ଦାଦନ ହେଲା କାଳ: ଦୁର୍ଘଟଣାରେ ସ୍ବାମୀ ମୃତ, ସମସ୍ୟାରେ ପରିବାର

ନୂଆପଡା: କରୋନା କାଳରେ ପରିବାର ମୁହଁରେ ଦୁଇ ମୁଠା ଦାନା ଯୋଗାଡ କରିବା ପାଇଁ ଦାଦନ ଯାଇ ଥିଲେ । ପରିବାର ପାଇଁ ଯେଉଁ ଆଶା ନେଇ ଦାଦନ ଖଟି ଯାଇଥିଲେ, ତାହା ମଉଳି ଗଲା। ଟ୍ରାକ୍ଟର ଦୁର୍ଘଟଣାରେ ସ୍ବାମୀଙ୍କ ମୃତ୍ୟୁ ହେବା ପରେ ସ୍ତ୍ରୀ ଖାଲି ହାତରେ ଗାଁକୁ ଫେରିଛନ୍ତି। ରୋଜଗାରକ୍ଷମ ସ୍ବାମୀଙ୍କ ମୃତ୍ୟୁ ହେବା ପରେ ସମସ୍ୟାରେ ପଡିଛନ୍ତି ୫ ପରିବାର ସଦସ୍ୟ ।

କରୋନା କାଳରେ କାମ ଧନ୍ଦା ଅଭାବ ହେବାରୁ ନୂଆପଡା ଜିଲ୍ଲା କୋମନା ବ୍ଲକ ଜଟଗଡ ପଞ୍ଚାୟତ ବାବେଘାଟି ଗାଁର ଦିଗବଲ୍ ଅଦା (୩୮) ନିଜ ସ୍ତ୍ରୀ ପ୍ରିୟତମାଙ୍କ ସହ ଗତ ଡିସେମ୍ବର ମାସରେ ଦାଦନ ଖଟି ଯାଇଥିଲେ । ତେଲେଙ୍ଗାନାର ନାଲଗୋଣ୍ତାର ଏକ ଇଟାଭାଟିରେ ପ୍ରିୟତମା ଇଟା ତିଆରି କାମ କରୁ ଥିଲେ । ଦିଗବଲ ଲରି ଗାଡି ଚଳାଉ ଥିଲେ । ଦିନେ ଦିଗବଲ୍ ଲରି ଗାଡି ବଦଳରେ ଟ୍ରାକ୍ଟର ଚଳାଇଲେ । ସେଦିନ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଅର୍ଥାଭାବରୁ ଶବ ଗାଁକୁ ଆସି ପାରି ନ ଥିଲା । ସେଠାରେ ହିଁ ଶବ ସତ୍କାର କରା ଯାଇଥିଲା । ଖାଲି ହାତରେ ପ୍ରିୟତମା ଘରକୁ ଫେରିଥିଲେ ।

ପୁଣି ଗାଁକୁ ଆସିଲା ପରେ ଆରମ୍ଭ ହୋଇ ଯାଇଛି ସମସ୍ୟା । କାମ ଧନ୍ଦା ଅଭାବ ଯୋଗୁଁ ପରିବାର ଚଳାଇବା କଷ୍ଟକର ହୋଇ ପଡିଛି । ଘରେ ମାଟ୍ରିକ ଫେଲ ପୁଅ ଝିଅ ନେପୁର ଅଦା, ଚନ୍ଦ୍ରଶେଖର ଅଦା, ଅଷ୍ଟମ ଶ୍ରେଣୀରେ ପଢୁଥିବା ପରମେଶ୍ବର ଏବଂ ଦ୍ବିତୀୟ ଶ୍ରେଣୀରେ ପଢୁଥିବା ବେଳମତୀ ଅଛନ୍ତି । ସମସ୍ୟା ସଂପର୍କରେ କୋମନା ବିଡିଓ ସଦାଶିବ ଭତ୍ରାଙ୍କୁ ଜଣାଇବା ପରେ ଆବଶ୍ୟକ ସମସ୍ତ ସରକାରୀ ସୁବିଧା ସହ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ସମ୍ବନ୍ଧିତ ଖବର