ସୁକିନ୍ଦା: ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ବନ୍ଧଗାଁରେ ଘରୋଇ କଳହରୁ ସ୍ତ୍ରୀକୁ ହତ୍ୟା କରିଛି ସ୍ବାମୀ। ଆଜି ବଡ଼ି ଭୋରରୁ ଏହି ଅଘଟଣ ଘଟିଛି। ମୃତ ମହିଳା ସୁକିନ୍ଦା ଥାନା ବନ୍ଧଗାଁ ମହାନ୍ତସାହିର ଗୋଲକ ମହାନ୍ତଙ୍କ ପତ୍ନୀ ରାଧିକା ମହାନ୍ତ। ମିଳିଥିବା ସୂଚନା ଅନୁସାରେ ଗୋଲକ ପେସାରେ ଜଣେ ମାଂସ କଟାଳି। ସେ ପ୍ରତିଦିନ ବିଭିନ୍ନ ସ୍ଥାନରେ ଖାସି ମାଂସ କାଟି ବ୍ୟବସାୟ କରୁଥିଲା। ଘରକୁ ଫେରିବାବେଳେ ସନ୍ଧ୍ୟାରେ ମଦ ପିଇ ଆସି ଝଗଡ଼ା କରିଥାଏ ବୋଲି ଜଣାପଡ଼ିଛି। ଗତକାଲି ମଧ୍ୟ ସେ ମଦ ପିଇ ଘରକୁ ଫେରି ପରିବାର ଲୋକଙ୍କ ସହ ଝଗଡ଼ା କରିଥିଲା।

Advertisment

କଳିଝଗଡ଼ାରେ ଅତିଷ୍ଠ ହୋଇ ପୁଅବୋହୂ ରାତିରେ ଘର ଛାଡ଼ି ଅନ୍ୟତ୍ର ଚାଲିଯାଇଥିଲେ। ଘରେ ଏକୁଟିଆ ଥିଲେ ସ୍ତ୍ରୀ ରାଧିକା। ମଦନିଶାରେ ଥାଇ ଗୋଲକ ରାତିସାରା ସ୍ତ୍ରୀ ରାଧିକାଙ୍କୁ ମାରଧର କରିଥିଲା। ମାଡ଼ଗାଳି ଅସହ୍ୟ ହେବାରୁ ଭୋର ସମୟରେ ରାଧିକା  ଘର ଛାଡ଼ି ପଳାଇ ଯାଉଥିଲେ।

ଏହି ସମୟରେ ଗୋଲକ ମାନସିକ ଭାରସାମ୍ୟ ହରାଇ ସ୍ତ୍ରୀ ରାଧିକାକୁ ଏକ କଟୁରିରେ ହାଣି ପକାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଏ ଘଟଣା ଜଣାପଡ଼ିବା ପରେ ଗ୍ରାମବାସୀ ଏକାଠି ହୋଇ ଅଭିଯୁକ୍ତ ଗୋଲକକୁ ଧରି ଗଛରେ ବାନ୍ଧିପକାଇ ସୁକିନ୍ଦା ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହିତ ହତ୍ୟାକାଣ୍ଡରେ ବ୍ୟବହୃତ କଟୁରିକୁ ଜବତ କରିଛି। ଅଭିଯୁକ୍ତ ଗୋଲକକୁ ଗିରଫ କରାଯାଇଛି। ମୃତଦେହ ଜବତ କରିବା ସହିତ ଦାନଗଦୀ ଡାକ୍ତରଖାନାରେ ବ୍ୟବ‌ଚ୍ଛେଦ କରାଯାଇଛି। ଏନେଇ ୮୮/୨୨ରେ ଏକ ହତ୍ୟା ମାମଲା ରୁଜୁ କରି ସୁକିନ୍ଦା ପୁଲିସ ଘଟଣାର ତଦନ୍ତ କରୁଛି।