ରାୟଗଡ଼ା: ପ୍ରେମିକଙ୍କ ପାଇଁ ନିଜ ମଥାରୁ ପୋଛିଦେଲା ସିନ୍ଦୂର। ଅବୈଧ ସଂପର୍କରେ କଣ୍ଟା ସାଜିଥିବା ସ୍ବାମୀଙ୍କୁ ପ୍ରେମିକ ସହାୟତାରେ ଚିରନିଦ୍ରାରେ ଶୁଆଇଦେଲା ପତ୍ନୀ। ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅଞ୍ଚଳରେ ଗତ ବୁଧବାର ରାତିରେ ଘଟିଥିବା ହତ୍ୟାକାଣ୍ଡରେ ଏମିତି ଚାଞ୍ଚଲ୍ୟକର ଖୁଲାସା କରିଛି ପୁଲିସ। ଆଜି ରାୟଗଡ଼ା ଏସ୍ଡିପିଓ ରଶ୍ମିରଞ୍ଜନ ସେନାପତି ସବିଶେଷ ତଥ୍ୟ ଦେଇ ରାୟଗଡ଼ା ସାଇପ୍ରିୟା ନଗରର ବିନୟ ପାଳଙ୍କୁ ହତ୍ୟା ଘଟଣା ଉପରୁ ପରଦା ହଟାଇଛନ୍ତି।
ଏମ୍ଜି ଢାବାର ରୋଷେୟା ବିନୟଙ୍କୁ ଗତ ୧୫ତାରିଖ ରାତିରେ ରାୟଗଡ଼ା ସାଇପ୍ରିୟା ନଗରରେ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପରଦିନ ସକାଳୁ ରାସ୍ତାରୁ ବିନୟଙ୍କ ଶବ ମିଳିଥିଲା। ମୁଣ୍ଡର ପଛପଟେ ଧାରୁଆ ଅସ୍ତ୍ର ବାଜିଥିବା ଚିହ୍ନ ରହିଥିଲା। ତେଣୁ ହତ୍ୟାକାଣ୍ଡ ବୋଲି ପୁଲିସ ସ୍ପଷ୍ଟ ହୋଇଥିଲେ ବି ହତ୍ୟାକାରୀଙ୍କ ସୁରାକ ପାଇ ନଥିଲା। ଅନ୍ୟପଟେ ବିନୟଙ୍କ ବାପା ରଜନୀକାନ୍ତ ଥାନାରେ ପୁଅକୁ ହତ୍ୟା ନେଇ ଏତଲା ଦେଇଥିଲେ। ତେଣୁ ଚାନ୍ଦିଲି ପୁଲିସ କେଶ ନମ୍ବର ୨୬୬/୨୩ ଅନୁସାରେ ମାମଲା ରୁଜୁ କରି ବିଭିନ୍ନ ଦିଗରେ ତଦନ୍ତ ଆରମ୍ଭ କରିଥିଲା। ପଚରାଉଚୁରା ସମୟରେ ବିନୟଙ୍କ ପତ୍ନୀ ସୁନିତା ପାଳଙ୍କ କଥାବର୍ତ୍ତା ପୁଲିସର ସନ୍ଦେହକୁ ବଢ଼ାଇଥିଲା। ଜୋର ଦେଇ ପଚାରିବାରୁ ହତ୍ୟାକାଣ୍ଡର କାରଣ ପୁଲିସ ଜାଣିବାକୁ ପାଇଥିଲା।
ବହୁ ଦିନ ଧରି ଜି. କାର୍ତ୍ତିକ ଓରଫ ମୁନା ସହ ସୁନିତାଙ୍କ ଅବୈଧ ସଂପର୍କ ରହିଥିଲା। ତେବେ ଏଥିରେ ସ୍ବାମୀ ବିନୟ ବାରମ୍ବାର କଣ୍ଟା ସାଜିଥିଲେ। ତେଣୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ପ୍ରେମିକ ସହ ସୁନିତା ଯୋଜନା କରିଥିଲେ। ବୁଧବାର ରାତିରେ ହତ୍ୟା କରିବା ପରେ ଶବ ବାହାରେ ଫୋପାଡ଼ି ଘରକୁ ଚାଲି ଆସିଥିଲେ। ଏହାପରେ ସ୍ବାମୀ ଘରକୁ ରାତିରେ ଆସିନଥିବା ସୁନିତା ଅଭିନୟ କରିଥିଲେ। ଅନ୍ୟପଟେ ବିନୟ ସରଳ ମଣିଷ ହୋଇଥିବାରୁ କିଏ ଏବଂ କାହିଁକି ହତ୍ୟା କଲା ତାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଶେଷରେ ପୁଲିସ କାର୍ତ୍ତିକ ଏବଂ ସୁନିତାଙ୍କୁ ଗିରଫ କରି ଏହି ଚାଞ୍ଚଲ୍ୟକର ଘଟଣାରେ ପୂର୍ଣ୍ଣଚ୍ଛେଦ ପକାଇଛି। ୨୪ଘଣ୍ଟା ମଧ୍ୟରେ ହତ୍ୟାକାରୀଙ୍କ ନିକଟରେ ପୁଲିସ ପହଞ୍ଚିବା ବଡ଼ ଉପଲବ୍ଧି ବୋଲି ଏସ୍ଡିପିଓ ଶ୍ରୀ ସେନାପତି କହିଛନ୍ତି। ବିଜୟ ଏବଂ ସୁନିତାଙ୍କର ୮ମାସର ଶିଶୁପୁତ୍ର ରହିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/fshfshfhfshfhs.jpg)