୧୭ ଦିନ ହେବ ନିଖୋଜ ଥିବା ବିବାହିତା ମହିଳାଙ୍କ ମୃତଦେହ ମାଟି ତଳୁ ଉଦ୍ଧାର, ସ୍ବାମୀ ହତ୍ୟା କରି ପୋତି ଦେଇଥିଲା !

ସମ୍ବଲପୁର: ସମ୍ବଲପୁର ସାକ୍ଷୀପଡ଼ାରୁ ଦୀର୍ଘ ୧୭ ଦିନ ହେବ ନିଖୋଜ ଥିବା ବିବାହିତା ମହିଳାଙ୍କ ମୃତଦେହକୁ ଶନିବାର ବାଗଡ଼ିହି ଆମ୍ବୁରେଇ ଜଙ୍ଗଲରୁ ମାଟି ତଳୁ ପୁଲିସ ଉଦ୍ଧାର କରିଛି। ମାଟି ତଳୁ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର ହେବା ଘଟଣା ପ୍ରଘଟ ହେବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ମୃତା ମହିଳାଙ୍କ ନାମ ଆରତୀ ଦେବୀ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ୧୭ଦିନ ତଳେ ଆରତୀ ନିଖୋଜ ଥିବା ‌ସଂକ୍ରାନ୍ତରେ ତାଙ୍କ ପରିବାର ଲୋକ ପୁଲିସରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ କେନ୍ଦ୍ର କରି ପୁଲିସ ତଦନ୍ତ କରୁଥିଲା।ତେବେ ଗତ ୭ ତାରିଖ ଦିନ ଆରତୀଙ୍କ ପରିବାର ଲୋକ ଝିଅ ଶାଶୁଘରେ ପହଞ୍ଚିଥିଲେ। ହେଲେ ଘରେ ତାଲା ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ସାହିପଡ଼ିଶାଙ୍କୁ ପଚାରିବାରୁ ଆରତୀଙ୍କୁ ତାର ଶାଶୁଘର ଲୋକ ହତ୍ୟା କରିବା ପରେ ପୋତି ଦେଇଥିବା ଶୁଣିବାକୁ ପାଇଥିଲେ । ଏହି କଥା ଶୁଣିବା ପରେ ଆରତୀଙ୍କ ପରିବାରଲୋକଙ୍କ ପାଦତଳୁ ମାଟି ଖସି ଯାଇଥିଲା।

ପରେ ମନକୁ ଦୃଢ଼ କରି ଆରତୀଙ୍କ ପରିବାର ଲୋକ ଥାନାରେ ପହଞ୍ଚି ଶାଶୁଘର ଲୋକ ଯୌତୁକ ନିର୍ଯାତନା ଦେଇ ତାଙ୍କ ଝିଅକୁ ହତ୍ୟା କରିଥିବା ଅଭିଯୋଗ କରିଥିଲେ। ଏହି ଘଟଣାକୁ କେନ୍ଦ୍ର କରି ସମ୍ବଲପୁର ପୁଲିସ ୪ଜଣିଆ ସ୍ୱତନ୍ତ୍ର ଟିମ୍‌ ଗଠନ କରି ତଦନ୍ତ ଆରମ୍ଭ କରିଥିଲା। ଏହାପରେ ପୁଲିସ ବିହାରରୁ ଆରତୀର ସ୍ୱାମୀ କୁନାଲ ଯାବଦକୁ ଗିରଫ କରିବା ପରେ ଘଟଣାରେ କୁନାଲ ସମେତ ୫ଜଣ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା। ଧନୁପାଲି ଥାନା ପୁଲିସ ସମସ୍ତଙ୍କୁ ପଚାରଉଚରା ଜାରି ରଖିଛି।

ପୁଲିସ ଆରତୀଙ୍କ ସ୍ୱାମୀ କୁନାଲକୁ ଗିରଫ କରିବା ପରେ ଆରତୀ ନିଖୋଜ ଘଟଣା ଉପରୁ ପରଦା ଉଠିଥିଲା। କୁନାଲ ପୁଲିସ ନିକଟରେ ଦୋଷ ସ୍ୱୀକାର କରି କହିଥିଲା, ଗତ ଡିସେମ୍ବର ୩୧ ତାରିଖରେ ଆରତୀ ଓ ତାଙ୍କ ମଧ୍ୟରେ କୌଣସି କାରଣରୁ ନେଇ ବଚସା ହୋଇଥିଲା। ଏହାପରେ କୁନାଲ ରାଗରେ ଆସି ଆରତୀକୁ ହତ୍ୟା କରିଥିଲା। ହତ୍ୟା ପରେ କୁନାଲ ଓ ତାର ୪ଜଣ ସମ୍ପର୍କୀୟ ମିଶି ଜାନୁଆରି ୧ ତାରିଖ ସକାଳେ ବାଗଡ଼ିହି ଆମ୍ବୁରେଇ ଜଙ୍ଗଲରେ ୨ଫୁଟର ଗାତ ଖୋଳି ମୃତଦେହକୁ ପୋତି ଦେଇଥିଲେ।

ଆଜି ପୁଲିସ, ମାଜିଷ୍ଟେଟ ଓ ସାଇଣ୍ଟିଫିକ୍‌ ଟିମ୍‌ ବାଗଡ଼ିହି ଆମ୍ବୁରେଇ ଜଙ୍ଗଲରେ ପହଞ୍ଚି ମାଟିତଳୁ ଆରତୀଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର