ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ୬୦ନମ୍ବର ଜାତୀୟ ରାଜପଥ ଫୁଲାଡ଼ି ଓ ନିଧିପଣ୍ଡା ମଝିରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣାରେ ଜଣେ ୫୦ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପତ୍ନୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଛି।

Advertisment

ମିଳିଥିବା ସୂଚନା ମୁତାବକ, ବସ୍ତା ଥାନା ବରଡ଼ା ଅଂଚଳର ବନମାଳୀ ପ୍ରଧାନଙ୍କ ପୁଅ ଅଜୟ ପ୍ରଧାନ(୫୦) ଏବଂ ତାଙ୍କ ପତ୍ନୀ ରଶ୍ମୀରେଖା ବାଇକ ଯୋଗେ ବାଲେଶ୍ୱରକୁ ଆସୁଥିଲେ। ଏହି ସମୟରେ ୬୦ନମ୍ବର ଜାତୀୟ ରାଜପଥ ନିଧିପଣ୍ଡା ଓ ଫୁଲାଡି ରାସ୍ତା ମଧ୍ୟରେ ଥିବା ଏକ ପେଟ୍ରୋଲପମ୍ପ ନିକଟରେ ଜଳେଶ୍ବରରୁ ବାଲେଶ୍ବରକୁ ଆସୁଥିବା ଓଆର-୦୧କେ-୩୭୩୫ ନମ୍ବରର ଏକ ଟ୍ରକ ଅଜୟଙ୍କ ବାଇକ୍‌କୁ ପଛପଟୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଅଜୟଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପତ୍ନୀ ରଶ୍ମୀରେଖା ଗୁରୁତର ଆହତ ହୋଇ ରାସ୍ତାକଡ଼କୁ ଛିଟ୍‌କି ପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ମୁଖ୍ୟ ଡାକ୍ତରଖାନାକୁ ନେଇଆସିଥିଲେ। ଖବର ପାଇ ହଳଦୀପଦା ଫାଣ୍ଡି ପୁଲିସ ସେଠାରେ ପହଁଚି ଧକ୍କା ଦେଇଥିବା ଟ୍ରକକୁ ଜବତ କରିବା ସହ ତାର ଡ୍ରାଇଭର ସପନ ରାୟକୁ ଅଟକ ରଖି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।