ଚିତ୍ରଡ଼ା : ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅଂଚଳରେ ଘଟିଥିବା ଏକ ଜଘନ୍ୟ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ କରିଛି ପୁଲିସ। ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ହତ୍ୟା କରିବା ପରେ ମାଟି ତଳେ ଶବ ପୋତି ଦେଇଥିଲା ସ୍ବାମୀ। ଆଜି ପୁଲିସ ଶବ ଉଦ୍ଧାର କରି ହତ୍ୟାକାଣ୍ଡ ଉପରୁ ପରଦା ଉଠାଇବା ପରେ ସ୍ଥାନୀୟ ଅଞ୍ଚଳରେ ଚାଂଚଲ୍ୟ ଖେଳିଯାଇଛି। ମୋରଡ଼ା ଥାନା ଅଧୀନ ଚିକିଟାମାଟିଆ ପଞ୍ଚାୟତ ଚିକିଟାମାଟିଆ ଲୋଧା ଗ୍ରାମର ବିଦ୍ୟାଧର ନାଏକଙ୍କ ପୁଅ ଧୀରେନ (୩୦) ନିଜ ସ୍ତ୍ରୀ କମଳା ନାଏକଙ୍କୁ ହତ୍ୟା କରି ଘର ପଛପଟ ବାଡ଼ିରେ ପୋତି ଦେଇଛି ବୋଲି ଆଜି ମୃତ କମଳାଙ୍କ ଖୁଡି ଦୀପାଳି ମଳିକ ମୋରଡା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ କେସ୍ ନଂ ୪୫/୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଥାନା ଆଇଆଇସି ଯୋଗେନ୍ଦ୍ର ମଲ୍ଲିକ, ଏସଆଇ ମହେଶ୍ୱର ବେହେରା ସଦଳବଳେ ଘଟଣାସ୍ଥଳରେ ପହଂଚିବା ସହିତ ମାଜିଷ୍ଟ୍ରେଟ ସମ୍ବିତ ସଂଗ୍ରାମଜିତ ସାହୁଙ୍କ ଉପସ୍ଥିତିରେ ସାଇଣ୍ଟିଫିକ ଟିମ, ସନ୍ଧାନୀ କୁକୁର ସାହାଯ୍ୟରେ ଛାନ୍ଭିନ୍ ଆରମ୍ଭ କରିଥିଲା ଏବଂ ମାଟିତଳୁ ଶବ ଉଦ୍ଧାର କରିଥିଲା। ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବାରିପଦା ପଠାଇବା ସହ ସ୍ୱାମୀ ଧୀରେନକୁ ଗିରଫ କରିଛି ପୁଲିସ।
ପ୍ରାଥମିକ ତଦନ୍ତ ଅନୁଯାୟୀ ୧୦ ବର୍ଷ ତଳେ କମଳାଙ୍କୁ ବିବାହ କରିଥିଲା ଧୀରେନ। ଉଭୟଙ୍କର ୩ ରୁ ୬ ବର୍ଷ ମଧ୍ୟରେ ୩ଟି ଛୋଟଛୋଟ ଝିଅ ମଧ୍ୟ ଅଛନ୍ତି। ତେବେ ସ୍ତ୍ରୀର ଚରିତ୍ରକୁ ଅନେକ ଦିନରୁ ସନ୍ଦେହ କରିଆସୁଥିଲା ଧୀରେନ। ସପ୍ତାହ ପୂର୍ବରୁ କମଳାଙ୍କୁ କାଠଫାଳିଆରେ ନିସ୍ତୁକ ମାଡ଼ ମାରିଥିଲା। ତେବେ ଗତ ବୁଧବାର ଦିନ ସ୍ତ୍ରୀର ମୃତ୍ୟୁ ହୋଇଯିବାରୁ ଭୟଭୀତ ହୋଇ ଶବକୁ ନିଜ ଘର ପଛପଟ ବାଡ଼ିରେ ଏକ ଗାତ ଖୋଳି ପୋତି ଦେଇଥିଲା। ସେପଟେ ଏବେ ମାର ମୃତ୍ୟୁ ଏବଂ ବାପା ଗିରଫ ହେବାପରେ ତିନିଟି ନାବାଳିକା ଝିଅ ସମ୍ପୂର୍ଣ୍ଣ ଅସହାୟ ହୋଇପଡିଛନ୍ତି। ସେମାନଙ୍କ ଭବିଷ୍ୟତକୁ ନେଇ ନାନା ଆଶଙ୍କା ସୃଷ୍ଟି ହୋଇଛି। ପ୍ରଶାସନ ଏବଂ ପୁଲିସ ଉକ୍ତ ୩ଟି ନିରୀହ ଶିଶୁଙ୍କ ଭବିଷ୍ୟତ କଥାକୁ ଚିନ୍ତା କରି ପଦକ୍ଷେପ ନେବାକୁ ମତ ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/mur.jpg)