ନିମାପଡ଼ା : ମୃତ ସ୍ବାମୀକୁ ଯମ ହାତରୁ ଖସାଇ ଆଣିଥିଲା ସତୀ ନାରୀ । କିନ୍ତୁ ଆଜି ସାବିତ୍ରୀ ବ୍ରତ ଚାଲିଥିବାବେଳେ ଜଣେ ପତି ଯମଦୂତ ସାଜି ପତ୍ନୀର ଜୀବନ ନେଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନିମାପଡ଼ା ଥାନା ଅନ୍ତର୍ଗତ ତରପଡ଼ା ମୌଜାର ଜେନା ସାହି ଗ୍ରାମରେ। ଟଙ୍କା କେଇଟା ପାଇଁ ସ୍ବାମୀ ପତ୍ନୀର ତଣ୍ଟି ଚିପି ହତ୍ୟା କରିଛି। କେବେଳ ସେତିକି ନୁହେଁ, ପତ୍ନୀର ମୃତ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରିଛି। ପୁଲିସ ଅଭିଯୋଗ ପାଇବା ପରେ ମାମଲା ରୁଜୁକରି ଅଭିଯୁକ୍ତ ସ୍ବାମୀ ଏବଂ ଶ୍ବଶୂରକୁ ଗିରଫ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ, କୋଣାର୍କ ଥାନା ଅନ୍ତର୍ଗତ ଗୋଲରାଗଡ଼ର ସ୍ବର୍ଗତ ଗୋପୀନାଥ ରାୟଙ୍କ ଝିଅ ଦିପ୍ତିମୟୀ(୩୦) ସ୍ଥାନୀୟ ଥାନା ଅନ୍ତର୍ଗତ ତରଡ଼ାପଡ଼ା ମୌଜାର ରବୀନ୍ଦ୍ର ଜେନାଙ୍କ ପୁଅ କୃଷ୍ଣଚନ୍ଦ୍ର ଜେନାଙ୍କୁ ୨୦୧୫ ମସିହାରେ ବିବାହ କରିଥିଲେ। ବିବାହ ବେଳେ ସ୍ବାମୀଙ୍କ ପରିବାର ପକ୍ଷରୁ ଦାବି ଅନୁଯାୟୀ ଦେଢ ଲକ୍ଷ ଟଙ୍କା ଏବଂ ଝିଅ ଜ୍ବାଇଁଙ୍କୁ ସୁନା ଅଳଙ୍କାର ସହ ଘରକରଣା ଜିନିଷ ଦିଆଯାଇଥିଲା। କିଛିଦିନ ପରେ ଏକ କନ୍ୟା ସନ୍ତାନ ଜନ୍ମ ହେବା ପରେ ଦୀପ୍ତିଙ୍କ ଉପରେ ନିର୍ଯାତନା ଆରମ୍ଭ ହୋଇଥିଲା। ଫଳରେ ସେ ଦୁଃଖ ସହି ନ ପାରି ବାପଘରୁ ପୁଣି ୪୦ ହଜାର ଟଙ୍କା ଆଣି ସ୍ବାମୀଙ୍କୁ ଦେଇଥିଲେ। ଜ୍ବାଇଁ କୃଷ୍ଣଚନ୍ଦ୍ର ଅଧିକ ପାଇବା ଆଶାରେ ଦୀପ୍ତିଙ୍କୁ ନିର୍ଯାତନା ଦେଇ ଆସୁଥିଲା। ଗତ ୨୦ରେ ଦୀପ୍ତି ଶାଶୂ ଘରକୁ ଯାଇଥିବାବେଳେ ନାତୁଣୀ ପାଇଁ ଆଈ ୨୫ ହଜାର ଟଙ୍କା ବ୍ୟାଙ୍କ୍ରେ ରଖିବାକୁ ଦେଇଥିଲେ। କିନ୍ତୁ ସ୍ବାମୀ କୃଷ୍ଣଚନ୍ଦ୍ର ଗାଈ କିଣିବା ବାହାନାରେ ଏହି ଟଙ୍କା ମାଗିଥିଲେ। ଏଥିରେ ଦୀପ୍ତି ରାଜି ନ ହେବାରୁ ଗତକାଲି ରାତିରେ କୃଷ୍ଣଚନ୍ଦ୍ର ତାଙ୍କ ତଣ୍ଟି ଚିପି ମାରି ଦେଇଥିଲା। ପରିବାର ପକ୍ଷରୁ ମୃତ ଦେହକୁ ଘର ଭିତରେ ପୋଡ଼ିଦେଇ ଘଟଣାକୁ ଲୁଚାଇବାକୁ ଉଦ୍ୟମ କରାଯାଇଥିଲା। ଘରେ ନିଆଁ ଲାଗିଥିବା ଦେଖି ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଘରେ ଦୀପ୍ତିଙ୍କ ମୃତ ଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଘଟଣା ସଂପର୍କରେ ତାଙ୍କ ପରିବାରକୁ ଖବର ଦିଆଯାଇଥିଲା।ଦୀପ୍ତିଙ୍କ ଦାଦା ସୋମନାଥ ରାୟ ନିମାପଡ଼ା ଥାନାରେ ଅଭିଯୋଗ କରିବାରୁ ଆଇଆଇସି ଜନାର୍ଦ୍ଦନ ପାଢୀ ଯୌତୁକଜନିତ ହତ୍ୟା ଓ ଘଟଣାକୁ ଲୁଚାଇବାକୁ ଉଦ୍ୟମ କରିଥିବା ଅଭିଯୋଗରେ ସ୍ବାମୀ କୃଷ୍ଣଚନ୍ଦ୍ର ଓ ଶ୍ବଶୂର ରବୀନ୍ଦ୍ର ଜେନାଙ୍କ ନାମରେ ମାମଲା ରୁଜୁ କରିବା ସହିତ ଗିରଫ କରିଛି।