ଫୁଲବାଣୀ/ କ.ନୂଆଗାଁ : ପାରିବାରିକ କଳହରୁ ପତ୍ନୀର ମୁଣ୍ଡକୁ ହାମରରେ ପିଟି ହତ୍ୟା କଲା ନିଶାସକ୍ତ ସ୍ବାମୀ। କନ୍ଧମାଳ ଜିଲ୍ଲା ସାରଙ୍ଗଗଡ ଥାନା ପାଡାଙ୍ଗି ଗ୍ରାମରେ ଏଭଳି ଘଟଣା ଘଟିଛି। ମୃତକ ମହିଳା ହେଉଛନ୍ତି ସୁଦେଷ୍ଣା ନାୟକ (୫୬)। ଏନେଇ ସାରଙ୍ଗଗଡ଼ ଥାନାରେ ହତ୍ୟା ମାମଲା ରୁଜୁ ପରେ ପୁଲିସ ଅଭିଯୁକ୍ତ ପ୍ରଶାନ୍ତ ନାୟକ (୫୮)କୁ ଗିରଫ କରିଛି। ସୂଚନାନୁସାରେ, ପ୍ରଶାନ୍ତ ଓ ସୁଦେଷ୍ଣା ବାଲିଗୁଡ଼ା ବ୍ଲକ ବାରଖମାରେ ଦାଦନ ଖଟିବା ସହ ଗୋଡ଼ି ପିଟି ଜୀବିକା ନିର୍ବାହ କରୁଥିଲେ। ଗତ ୭ ତାରିଖରେ ମଜୁରୀ ଟଙ୍କା ମିଳିବା ପରେ ଉଭୟ ନିଜ ଗ୍ରାମ ପାଡ଼ାଙ୍ଗିକୁ ଫେରିଥିଲେ। ଗତକାଲି ରାତିରେ ପ୍ରଶାନ୍ତ ମଦ ପିଇ ଘରକୁ ଫେରି ଖାଇବା କଣ ହୋଇଛି ବୋଲି, ସୁଦେଷ୍ଣାଙ୍କୁ ପଚାରିଥିଲା। କେବଳ ଭାତ ହୋଇଥିବା ଜବାବ ଦେବାରୁ ପ୍ରଶାନ୍ତ ଉତ୍କ୍ଷିପ୍ତ ହୋଇ ଗୋଡ଼ି ପିଟିବା ପାଇଁ ବ୍ୟବହୃତ ହେଉଥିବା ହାମର ଆଣି ସୁଦେଷ୍ଣାଙ୍କ ମୁ୍ଣ୍ଡରେ ଆଘାତ ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।
ସାନପୁଅ ଶ୍ରବଣ ସାରଙ୍ଗଗଡ଼ ଥାନାରେ ଏତଲା ଦେବାରୁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ବାଲିଗୁଡ଼ା ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିଲା। ଅଭିଯୁକ୍ତ ସ୍ବାମୀ ପ୍ରଶାନ୍ତକୁ ଗିରଫ ପରେ ସେ ସମସ୍ତ ଦୋଷ ସ୍ବୀକାର କରିଛି। ତାକୁ କୋର୍ଟ ଚାଲାଣ କରାଯାଇଥିବା ନେଇ ସାରଙ୍ଗଗଡ଼ ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ସୂଚନା ଦେଇଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/hammer-f.jpg)