ସ୍ୱାମୀର ବୀଭତ୍ସ କାଣ୍ତ : ପତ୍ନୀଙ୍କୁ ହତ୍ୟା କରି ମୃତଦେହ କୋଳରେ ଧରି ବସି ରହିଲା

ଫୁଲନଖରା : ପତ୍ନୀଙ୍କୁ ଛୁରୀ ଭୁସି ଅତି ବୀଭତ୍ସଭାବେ ହତ୍ୟାକଲା ସ୍ବାମୀ। ପରେ କିନ୍ତୁ ପତ୍ନୀଙ୍କ ମୃତଦେହକୁ କୋଳରେ ଧରି ବସି ରହିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହିତ ଅଭିଯୁକ୍ତ ସ୍ବାମୀକୁ ଗିରଫ କଲା। ଏଭଳି ଏକ ଚାଞ୍ଚଲ୍ୟକର ଆଉ ଲୋମହର୍ଷକ ଘଟଣା ଘଟିଛି କଟକ କମିସନରେଟ ପୁଲିସର ସଦର ଥାନା ଅଞ୍ଚଳରେ।

ସୂଚନା ଅନୁଯାୟୀ, ବାରଙ୍ଗ ବ୍ଲକ ଅନ୍ତର୍ଗତ ମହୀଧରପଡ଼ା ଉନ୍ନୀତ ସ୍ବାସ୍ଥ୍ୟକେନ୍ଦ୍ରରେ ଏଏନ୍‌ଏମ୍‌ ଭାବେ କାର୍ଯ୍ୟ କରନ୍ତି ପ୍ରୀତି ପ୍ରଧାନ। ସେ ଆଜି ହରିଅନ୍ତା ପଞ୍ଚାୟତ ଅନ୍ତର୍ଗତ ମହୁରା ଅଙ୍ଗନବାଡ଼ି କେନ୍ଦ୍ରରେ ମହିଳା ଓ ଶିଶୁମାନଙ୍କ ଟିକାକରଣ କାର୍ଯ୍ୟ କରୁଥିଲେ। ଏହି ସମୟରେ ତାଙ୍କ ସ୍ବାମୀ ଅକ୍ଷୟ ସାହୁ ସେଠାରେ ପହଞ୍ଚି ପ୍ରୀତିଙ୍କୁ ଗାଳିଗୁଲଜ କରିଥିଲା। ଏହାର ବିରୋଧ କରିବାରୁ ଅକ୍ଷୟ ଉତ୍‌କ୍ଷିପ୍ତ ହୋଇ ପକେଟରେ ଲୁଚାଇ ରଖିଥିବା ଏକ ଛୁରୀ ବାହାର କରି ପ୍ରୀତିଙ୍କ ପେଟକୁ ଭୁସି ଦେଇଥିଲା। ପ୍ରୀତି ଛଟପଟ ହୋଇ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିଲାବେଳେ ଅକ୍ଷୟ ତାଙ୍କ ବେକକୁ ସେହି ଛୁରୀରେ ଆଘାତ କରିଥିଲା। ପ୍ରବଳ ରକ୍ତସ୍ରାବ ହେବାରୁ ସେହିଠାରେ ହିଁ ପ୍ରୀତିଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଏହାପରେ ମାନସିକ ଭାରସାମ୍ୟ ହରାଇ ଅକ୍ଷୟ ପ୍ରୀତିଙ୍କ ମୃତଶରୀରକୁ ନିଜ କୋଳରେ ଧରି ସ୍କୁଲ ବାରଣ୍ତାରେ ବସି ରହିଥିଲା। ଏ ସମ୍ପର୍କରେ ଖବର ପାଇ ସଦର ଥାନା ଏସିପି ସତ୍ୟରଞ୍ଜନ ମଲିକ ଓ ଆଇଆଇସି ସୁଧାଂଶୁ ଭୂଷଣ ଜେନାଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀ ସେଠାରେ ପହଞ୍ଚି ଅଭିଯୁକ୍ତ ଅକ୍ଷୟକୁ ଗିରଫ କରିବା ସହିତ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଟକ ପଠାଇଥିଲେ।

କଟକ ଜିଲା ତିଗିରିଆ ଅନ୍ତର୍ଗତ ପଞ୍ଚୁଗାଁ ଅଞ୍ଚଳର ପ୍ରୀତି ଓ ଆଠଗଡ଼ ଅଞ୍ଚଳର ଅକ୍ଷୟଙ୍କର ଏକ ୧୩ ବର୍ଷର ପୁଅ ଅଛି। ପାରିବାରିକ କଳହରୁ ପ୍ରୀତି ପୁଅ ସହିତ ଭୁବନେଶ୍ବରରେ ରହୁଥିଲାବେଳେ ଅକ୍ଷୟ ଆଠଗଡ଼ ବରଡ଼ିଆରେ ରହୁଥିଲା। ପୂର୍ବରୁ ସେମାନଙ୍କ ମଧ୍ୟରେ ଅନେକଥର ଗଣ୍ତଗୋଳ ହୋଇଛି। ୨ ମାସ ପୂର୍ବେ ମହୀଧରପଡ଼ା ଡାକ୍ତରଖାନାରେ ଅକ୍ଷୟ ଏକ ବୋତଲ ଧରି ପ୍ରୀତିଙ୍କୁ ଆକ୍ରମଣ ପାଇଁ ଗୋଡ଼ାଇଥିଲା। ଏ ନେଇ ସଦର ଥାନାରେ ଅଭିଯୋଗ ହେବାରୁ ପୁଲିସ ଅକ୍ଷୟକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୮ଦିନ ଜେଲରେ ରହି ସେ ଜାମିନରେ ଫେରିଥିଲା। ଏହି ହତ୍ୟାକାଣ୍ତର ପ୍ରକୃତ କାରଣ ଜଣାପଡ଼ିନଥିଲେ ମଧ୍ୟ ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି ସେ ଏପରି ନାରକୀୟ କାଣ୍ତ ଭିଆଇଥିବା ପୁଲିସ ସନ୍ଦେହ କରୁଛି।

ସମ୍ବନ୍ଧିତ ଖବର