ପତ୍ନୀଙ୍କ ତଣ୍ଟିଚିପି ହତ୍ୟା କଲା ସ୍ବାମୀ

ଶୁଳିଆପଦା: ପିନ୍ଧାଶାଢ଼ିରେ ପତ୍ନୀଙ୍କ ତଣ୍ଟିଚିପି ହତ୍ୟା କଲା ସ୍ବାମୀ। ପତ୍ନୀହନ୍ତା ସ୍ବାମୀକୁ ପୁଲିସ ଗିରଫ କରିଥିବା ବେଳେ ୮ ଓ ୧୦ ବର୍ଷର ଦୁଇ ପୁତ୍ରସନ୍ତାନ ଅସହାୟ ହୋଇ ପଡ଼ିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅଢ଼େଇକୁଲା ଗ୍ରାମରେ।

କୌଣସି କଥାକୁ ନେଇ ଗ୍ରାମର ସୁକୁମାର ସି(୩୮) ଓ ପତ୍ନୀ ମଞ୍ଜୁଲତା(୩୩)ଙ୍କ ମଧ୍ୟରେ ଆଜି ସକାଳେ ଝଗଡ଼ା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ପତ୍ନୀଙ୍କ ବେକକୁ ତାଙ୍କ ପିନ୍ଧାଶାଢ଼ିରେ ଚାପି ଧରିଥିଲା ସୁକୁମାର। ବଞ୍ଚିବା ପାଇଁ ମଞ୍ଜୁଲତା ଯେତେ ଉଦ୍ୟମ କରିଥିଲେ ସୁଦ୍ଧା ବିଫଳ ହୋଇଥିଲେ। କିଛି ସମୟ ମଧ୍ୟରେ ତାଙ୍କ ଶରୀର ନିଶ୍ଚଳ ହୋଇ ଯାଇଥିଲା। ଏହାପରେ ସୁକୁମାରର ଚେତା ପଶିଥିଲା ଓ ନିଜ ଭୁଲ୍‌ ବୁଝିପାରି ପତ୍ନୀଙ୍କୁ ନେଇ ବାରିପଦା ମୁଖ୍ୟ ଡାକ୍ତରଖାନାରେ ପହଞ୍ଚିଥିଲା। ହେଲେ ସେଠାରେ ଡାକ୍ତର ମଞ୍ଜୁଲତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଶୁଳିଆପଦା ଥାନା ଏଏସ୍‌ଆଇ ରସାନନ୍ଦ ମହାନ୍ତି ଓ ଆଇଆଇସି ପଦ୍ମାଳୟା ପ୍ରଧାନ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ସହ ସୁକୁମାରକୁ ଅଟକ ରଖି ଜେରା କରିଥିଲେ। ପୁଲିସ ଆଗରେ ଦୋଷ ସ୍ୱୀକାର କରିବା ପରେ ୨୦୧/୨୨ରେ ମାମଲା ରୁଜୁକରି ହତ୍ୟାକାରୀ ସ୍ବାମୀକୁ କୋର୍ଟ ଚାଲାଣ କରାଯାଇଛି। ମା’ର ମୃତ୍ୟୁ ଓ ବାପା ଜେଲ୍‌ ଯିବା ‌ପରେ ବେସାହାରା ହୋଇପଡ଼ିଛନ୍ତି ଦୁଇ ନାବାଳକ ସନ୍ତାନ।

ସମ୍ବନ୍ଧିତ ଖବର