ସ୍ବାମୀର ପରକୀୟା ପ୍ରୀତି ପ୍ରଘଟ, ସ୍ତ୍ରୀକୁ ହତ୍ୟା
ବଲାଙ୍ଗୀର : ବାହା ଘରର ଦେଢ଼ବର୍ଷ ନପୂରୁଣୁ ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ପୁଆ ଗାଁର ରଂଜନ ସାହୁ ତାଙ୍କ ସ୍ତ୍ରୀ ରୁକ୍ମିଣୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ରଞ୍ଜନଙ୍କ ପରକୀୟା ପ୍ରୀତି ଯୋଗୁଁ ସେ ଏପରି କରିଥିବା ଏତଲାରେ ଦର୍ଶାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅଭିଯୋଗ ଅନୁସାରେ, ୨୦୨୧ ମସିହା ଏପ୍ରିଲ ମାସରେ ରଞ୍ଜନ ପୁଇଁନ୍ତଲା ଥାନା କେଶେରକେଲା ଗାଁର ଦେବ ପଧାନଙ୍କ ସାନଝିଅ ରୁକ୍ମିଣୀଙ୍କୁ ବାହା ହୋଇଥିଲେ। ବାହାଘର ସମୟରେ ରଞ୍ଜନ ଏକ ପଲ୍ସର୍ ବାଇକ୍ ଦାବି କରିଥିଲେ। କିନ୍ତୁ ଗରିବ ବାପା ପଲ୍ସର୍ ବାଇକ୍ ଦେଇନପାରି ଏକ ଗ୍ଲାମର ବାଇକ୍ ଦେଇଥିଲେ। ବାହାଘର ପରେ ସେହି ବାଇକକୁ ରାଗରେ ରଂଜନ ବିକି ଦେଇଥିଲେ। ତାପରେ ରୁକ୍ମିଣୀଙ୍କ ଉପରେ ଆରମ୍ଭ ହୋଇଥିଲା ନିର୍ଯାତନା। ପରେ ପରେ ରୁକ୍ମଣୀ ସ୍ୱାମୀ ରଞ୍ଜନଙ୍କ ପରକୀୟା ପ୍ରୀତି କଥା ଜାଣିବାକୁ ପାଇଥିଲେ। ନାରାୟଣପୁର ଗାଁର ଜଣେ ବିବାହିତା ମହିଳାଙ୍କ ସହିତ ରଞ୍ଜନଙ୍କ ଅନୈତିକ ସଂପର୍କ ଥିବାରୁ ରୁକ୍ମିଣୀ ପ୍ରତିବାଦ କରିବାରୁ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ରୁକ୍ମିଣୀଙ୍କ ବାପା ଦେବ ପଧାନ।
ବୁଧବାର ସକାଳୁ ଝିଅ ଗୁରୁତର ଥିବା ନେଇ ରଞ୍ଜନ ଫୋନ୍ ଯୋଗେ ଜଣାଇଥିଲେ। ମୃତ ରୁକ୍ମିଣୀଙ୍କ ଭାଇମାନେ ପୁଆ ଗାଁକୁ ଯିବା ପରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ। କାଳେ ବଞ୍ଚିଥିବେ ଭାବି ସେମାନେ ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ହସପିଟାଲ ଫାଣ୍ଡି ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ରଂଜନ ଓ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ତରଭା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମୃତ ରୁକ୍ମଣୀଙ୍କ ବାପା। ମୃତ ରୁକ୍ମଣୀ ଗର୍ଭବତୀ ଥିବା ମଧ୍ୟ ଜଣାପଡ଼ିଛି। ତରଭା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏନେଇ ପୁଲିସ କି ମୃତ ରୁକ୍ମିଣୀଙ୍କ ଶାଶୂଘର ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।