କିଶୋରନଗର : କିଶୋରନଗର ଥାନା ବ୍ରାହ୍ମଣୀପାଲି ଗାଁ ଭାଟଦରସାହିରେ ବୁଧବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଦୀର୍ଘଦିନ ପରେ ଘରକୁ ଫେରିଥିବାରୁ ପତ୍ନୀ ମୁଣ୍ଡିଆ ମାରିନଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ସ୍ବାମୀ ତାଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ଥାନାରେ ଅଭିଯୋଗ ପରେ ପୁଲିସ ଅଭିଯୁକ୍ତ ସ୍ବାମୀକୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ହେଲେ, ବ୍ରାହ୍ମଣୀପାଲି ଭାଟଦର ସାହିର ସୁଦର୍ଶନ ଦେହୁରୀ(୩୮)। ସୁଦର୍ଶନ ମୂଲମଜୁରୀ ଲାଗିଲେ ପରିବାର ଚଳେ। ସେ କିଛିଦିନ ହେବ ମୂଲ ଲାଗିବା ପାଇଁ ବାହାରକୁ ଯାଇଥିଲା ବେଳେ ଗତକାଲି ସନ୍ଧ୍ୟାରେ ଘରକୁ ଫେରିଥିଲେ। ହେଲେ, ଘରେ ପହଞ୍ଚିବା ପରେ ପତ୍ନୀ ପଦ୍ମିନୀ ଦେହୁରୀ(୩୨) ତାଙ୍କୁ ମୁଣ୍ଡିଆ ମାରି ନଥିଲେ। ଏହାକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ପତ୍ନୀ ପଦ୍ମିନୀଙ୍କୁ ପିଟିପିଟି ହତ୍ୟା କରିଥିଲେ ସୁଦର୍ଶନ।
ପଦ୍ମିନୀଙ୍କ ଭାଇ ଗତକାଲି ଥାନାରେ ଏ ନେଇ ଅଭିଯୋଗ କରିଥିଲେ। ପୁଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଅଭିଯୁକ୍ତ ସୁଦର୍ଶନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।
ମୃତ ପଦ୍ମିନୀଙ୍କର ୨ଟି ଛୋଟ ପୁଅ ଅଛନ୍ତି। ମା’କୁ ହରାଇ ସେମାନେ ବେସାହାରା ହୋଇପଡ଼ିଛନ୍ତି।