୬ ବର୍ଷର ପୁଅ ସମ୍ମୁଖରେ ପତ୍ନୀକୁ ହତ୍ୟା

ଛତ୍ରପୁର : ଗଞ୍ଜାମ ଜିଲ୍ଲା ଚମାଖଣ୍ତି ଥାନା ଅର୍ନ୍ତଗତ ନରେନ୍ଦ୍ରପୁର ଗ୍ରାମରେ ସୋମବାର ଘଟିଛି ଏକ ଅଭାବନୀୟ ଘଟଣା। ୬ ବର୍ଷର ଶିଶୁ ପୁତ୍ର ସମ୍ମୁଖରେ ପତ୍ନୀ ବି. ଲିସାରାଣୀ ସେନାପତିଙ୍କୁ ଲୁହାଛଡରେ ପିଟି ପିଟି ନିର୍ମମ ଭାବେ ହତ୍ୟା କରିଛି ପତି ବି. ବାବୁଲା ସେନାପତି। ବାବୁଲା ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ। ପତ୍ନୀଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ବାବୁଲା ଚମାଖଣ୍ଡି ଥାନାରେ ଆତ୍ମସମର୍ପଣ କରିଥିବା କୁହାଯାଉଛି। କିନ୍ତୁ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିବା କହୁଛି। ମାଆଙ୍କୁ କିଭିଳି ପିଟି ପିଟି ବାପା ମାରି ଦେଲା ସେହି ଘଟଣାକୁ ସମସ୍ତଙ୍କ ସମ୍ମୁଖରେ ବର୍ଣନା କରିଛି ତାଙ୍କ ୬ ବର୍ଷର ପୁଅ ଶୁଭମ। ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ମୃତ ଦେହ ଜବତ କରି ବ୍ରହ୍ମପୁର ବଡ ମେଡିକାଲକୁ ବ୍ୟବଛେଦ ପାଇଁ ପଠାଇଛି। ହତ୍ୟାକାଣ୍ଡରେ ବ୍ୟବହୃତ ଲୁହାଛଡ଼ ‌ପୁଲିସ ଜବତ କରିଛି। ପତିପତ୍ନୀଙ୍କ ମଧ୍ୟରେ କଳହରୁ ହତ୍ୟାକାଣ୍ଡ ଘଟିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ନରେନ୍ଦ୍ରପୁର ଗ୍ରାମର ବାବୁଲା ସେନାପତି ୧୩ ବର୍ଷ ତଳେ ବ୍ରହ୍ମପୁରର ଲିସାରଣୀଙ୍କୁ ବିବାହ କରିଥିଲେ। ୧୩ ବର୍ଷ ଝିଅ ସାଲିନୀ ଓ ୬ ବର୍ଷର ପୁଅ ଶୁଭମଙ୍କୁ ନେଇ ତାଙ୍କ ପରିବାର। ବାବୁଲା ଭାରତୀୟ ସେନା ବାହିନୀରେ କାର୍ଯ୍ୟ କରୁଥିବା ବେଳେ ଗତ କିଛି ବର୍ଷ ହେଲା ସେ ଅବସର ନେଇଥିଲେ। ବାବୁଲାଙ୍କ ତିନି ଭାଇ ସମସ୍ତେ ଯୁଗ୍ମ ପରିବାର ଭାବେ ରହି ଆସୁଥିଲେ। ଗତ କିଛି ବର୍ଷ ତଳେ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବାରମ୍ବାର କଳହ ଲାଗୁଥିଲା। ଏହାପରେ ପୁଅ ଝିଅଙ୍କୁ ନେଇ ବାବୁଲା ଏବଂ ଲିସାରାଣି ଗତ ୮ମାସ ହେବ ଅଲଗା ଏକ ଘରେ ରହୁଥିଲେ। କୌଣସି ଏକ କାରଣକୁ କେନ୍ଦ୍ର କରି ସୋମବାର ସକାଳେ ପତିପତ୍ନୀଙ୍କ ମଧ୍ୟ୍ୟରେ କଳହ ଉପୁଜିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଏକ ଲୁହାରଡ୍‌ରେ ଲିସାରାଣୀଙ୍କୁ ପିଟି ପିଟି ବାବୁଲା ମାରି ଦେଇଥିଲା। ହତ୍ୟାକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇ ପାରିନାହିଁ। ଅନ୍ୟପକ୍ଷରେ ମୃତା ଲିସାଙ୍କ ଭାଇ କେ.ଶିବ ପାତ୍ର ଚମାଖଣ୍ତି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଏକ ହତ୍ୟା ମକଦ୍ଦମା ରୁଜୁ କରି ଅଭିଯୁକ୍ତ ସ୍ବାମୀ ବାବୁଲା ‌ସେନାପତିକୁ ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର