ସ୍ତ୍ରୀ ଓ ପୁଅକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ବାମୀ

ବୋରିଗୁମ୍ମା : ନିଜ ସ୍ତ୍ରୀ ଏବଂ ୫ ବର୍ଷର ଶିଶୁ ପୁତ୍ରକୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରିଛି ସୈତାନ ସ୍ୱାମୀ। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ବିସିଂହପୁର ଥାନା ଅନ୍ତର୍ଗତ ହରଡ଼ାଗୁଡ଼ା ଗ୍ରାମରେ। ଯାହାକୁ ନେଇ ଗ୍ରାମରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ଗ୍ରାମବାସୀ ବର୍ବର ସ୍ୱାମୀକୁ ବାନ୍ଧି ବିସିଂହପୁର ପୁଲିସ ଜିମାରେ ଦେଇଛନ୍ତି।

ଘଟଣାରୁ ପ୍ରକାଶ ଯେ, ଗତକାଲି ରାତିରେ ଗ୍ରାମର ଧୁବୁଲୁ ମୁଦୁଲି ଓ ତାଙ୍କ ସ୍ତ୍ରୀ ଡମୁଣି ମୁଦୁଲିଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ଗଣ୍ଡଗୋଳ ପରେ ସ୍ତ୍ରୀ ଡମୁଣି ନିଜ ୫ ବର୍ଷର ପୁଅ ପବୁଲୁକୁ ଧରି ନିଜ ମାଆ ଘରକୁ ପଳେଇ ଯିବାକୁ ବାହାରିଥିଲେ। ଏହାକୁ ମନା କରିଥିଲା ଧୁବୁଲୁ। ସ୍ତ୍ରୀ ନଶୁଣିବାରୁ ଶେଷରେ ନିଶାଗ୍ରସ୍ତ ଧୁବୁଲୁ ଉତ୍‌କ୍ଷିପ୍ତ ହୋଇ ଘରେ ଥିବା ଟାଙ୍ଗିଆକୁ ଆଣି ସ୍ତ୍ରୀ ଡମୁଣି ଏବଂ ୫ ବର୍ଷର ଶିଶୁ ପୁତ୍ର ପବୁଲୁକୁ ଅତି ନୃଶଂସ ଭାବେ ହାଣି ହତ୍ୟା କରିଥିଲା। ଘର ଭିତରେ ଗୋଟାଏ ପଟେ ରକ୍ତ ଜୁଡୁବୁଡ଼ୁ ମା’ର ଶବ ପଡ଼ିଥିବା ବେଳେ ଅନ୍ୟପଟେ ପଡ଼ିଥିଲା ପୁତ୍ରର ଶବ। ଗ୍ରାମବାସୀ ଘଟଣା ସମ୍ପର୍କରେ ଜାଣିବା ପରେ ହତ୍ୟାକାରୀ ଧୁବୁଲୁକୁ ବାନ୍ଧି ରଖିବା ସହ ବିସିଂହପୁର ପୋଲିସକୁ ଖବର ଦେଇଥିଲେ। ପୁଲିସ ହତ୍ୟାକାରୀ ସ୍ୱାମୀକୁ କାବୁ କରି ଥାନାକୁ ନେଇଛି। ବିସିଂହପୁର ଥାନା ଅଧିକାରୀ ଦାମୋଦର ବିହାରୀଙ୍କ ନେତୃତ୍ୱରେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର