ଆଗରପଡ଼ା : ସ୍ତ୍ରୀକୁ ଛୁରୀ ଭୁଷି ହତ୍ୟା କରିଛି ସ୍ବାମୀ। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ ଆଗରପଡ଼ା ହଜାରିସାହିରେ ଘଟିଛି ଏଭଳି ହତ୍ୟାକାଣ୍ଡ।
ଆଗରପଡ଼ା ହଜାରିସାହିର ପ୍ରତାପ ଚନ୍ଦ୍ର ସିଂହଙ୍କ ଝିଅ କନକଲତା(୩୫)ଙ୍କୁ ଉତ୍ତରପ୍ରଦେଶର ରବୀନ୍ଦ୍ର ସିଂହ ୧୪ବର୍ଷ ପୂର୍ବେ ବିବାହ କରିଥିଲେ। ବିବାହ ପରେ ଉଭୟେ ହସଖୁସିରେ ରହୁଥିଲେ। ଗତ ତିନିମାସ ହେବ କନକଲତା ଭାଇ ବାହାଘର ପାଇଁ ବାପଘରକୁ ଆସି ସ୍ୱାମୀ ଓ ଦୁଇ ପୁଅଙ୍କ ସହ ଏଠାରେ ରହି ଆସୁଥିଲେ। ମାତ୍ର, ଗୁରୁବାର ସକାଳେ ଘରେ ସ୍ୱାମୀ ନ ଥିବାବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ କନକଲତାଙ୍କ ମୃତଦେହ ଶୋଇବା ଘରେ ପଡ଼ିରହିଥିବା ପଡ଼ୋଶୀ ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ନିକଟସ୍ଥ ପୁରୁଷଣ୍ଢ ଗ୍ରାମରୁ ସ୍ୱାମୀ ରବୀନ୍ଦ୍ରଙ୍କୁ ଥାନାକୁ ନେଇ ପଚାରିବାରୁ ସେ ସ୍ତ୍ରୀକୁ ପ୍ରଥମେ କପଡ଼ା ଓ ପରେ ଛୁରୀ ସାହାଯ୍ୟରେ ହତ୍ୟା କରିଥିବା ସ୍ବୀକାର କରିଛି। ତେବେ, ହତ୍ୟାକାଣ୍ଡର କୌଣସି କାରଣ ଜଣାପଡିନାହିଁ। ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।