ଥାନାରେ ଗୁହାରୀ କରୁଥିଲେ ମହିଳା-‘ବାବୁ ବଞ୍ଚାଅ, ସ୍ୱାମୀ ମତେ ମାରିଦେବ’: ଶେଷରେ ତାହାହିଁ ହେଲା,ପୁଲିସ ନୀରବଦ୍ରଷ୍ଟା

ଭୁବନେଶ୍ବର : ‘ବାବୁ ବଞ୍ଚାଅ, ମୋ’ ସ୍ବାମୀ ମୋତେ ମାରିଦେବ। କେତେ ଆଉ ହୀନସ୍ତା ହେବି। ‘ଗତ ଜାନୁଆରି ମାସରୁ ଜୁଲାଇ ପର୍ଯ୍ୟନ୍ତ ଏଭଳି କମିସନରେଟ୍‌ ପୁଲିସର ବିଭିନ୍ନ ଥାନାବାବୁଙ୍କ ପାଖରେ ବାରମ୍ବାର ନେହୁରା ହୋଇଥିଲେ ପ୍ରୀତି। କେବଳ ଥାନା ବାବୁ ନୁହନ୍ତି, ମହିଳା ଥାନା ସମେତ କମିସନର ଓ ଡିସିପିଙ୍କୁ ଗୁହାରି କରିଥିଲେ। ହେଲେ କେହି ତାଙ୍କ ଗୁହାରି ଶୁଣିଲେନି। କୋଭିଡ୍‌ ଡ୍ୟୁଟି କରୁଥିବା ବେଳେ ସ୍ବାମୀ ସ୍କୁଲ ଭିତରେ ପଶି ସତକୁ ସତ ମାରିଦେଲା।

ପ୍ରଥମେ ପ୍ରୀତି ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ରହୁଥିଲେ। ସେଠାରେ ଗତ ମାର୍ଚ୍ଚ ମାସରେ ତାଙ୍କ ସ୍ବାମୀ ଆସି ମାଡ଼ ମାରିଥିଲେ। ଲଗାତାର ଉନ୍ମତ୍ତକାଣ୍ଡ ଘଟାଇବାରୁ ଘର ମାଲିକ ତାଙ୍କୁ ତଡ଼ି ଦେଇଥିଲା। କରୋନା ସମସ୍ତଙ୍କୁ ଆତଙ୍କିତ କରି ରଖିଥିବା ବେଳେ କଟକଣା ମଧ୍ୟ କଡ଼ାକଡ଼ି ରହିଥିଲା। ସେଭଳି ସ୍ଥିତିରେ ଘରଛାଡ଼ି ପ୍ରୀତି ବାରଦୁଆର ହୋଇଥିଲେ। ଏ ନେଇ ସେ ଲକ୍ଷ୍ମୀସାଗର ଥାନାର ଦ୍ବାରସ୍ଥ ହୋଇଥିଲେ। ସ୍ବାମୀଙ୍କ ନାମରେ ଅଭିଯୋଗ କରିଥିଲେ। ହେଲେ କିଛି ଫଳ ହୋଇନଥିଲା। ସେଠାରୁ ସେ ଘର ଛାଡ଼ି ପଳାସୁଣି ଚାଲିଗଲେ। ସ୍ବାମୀ ଖୋଜି ଖୋଜି ପଳାସୁଣିରେ ମଧ୍ୟ ପହଞ୍ଚି ଆକ୍ରମଣ କରିବା ସହ ସେଠାରେ ହଙ୍ଗାମା କରିଥିଲେ। ସିସିଟିଭି ଫୁଟେଜ୍‌ରେ ସମସ୍ତ କାଣ୍ଡ କଏଦ୍‌ ହୋଇଥିଲା।

Times of India

ଏ ନେଇ ପ୍ରୀତି ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲେ। ହେଲେ ପୂର୍ବରୁ କଟକ ସଦର ଥାନାରେ ଅଭିଯୋଗ ଥିବାରୁ ପୁଲିସ ଏକ ଷ୍ଟେସନ ଡାଏରି କରି ବସି ଯାଇଥିଲା। ତହିଁ ପରଦିନ କଟକ ସଦର ଥାନା ପୁଲିସ ତାଙ୍କୁ ଗିରଫ କରିଥିଲା। କିନ୍ତୁ କୋଭିଡ୍‌ କଟକଣା ଆଳ କରି ୪୧ ସିଆର୍‌ପିସି ବଳରେ ଛାଡ଼ି ଦେଇଥିଲା। ଏହାକୁ ନେଇ ପ୍ରୀତି ମହିଳା ଥାନା, ଡିସିପି, କମିସନରଙ୍କୁ ଭେଟିଥିଲେ। ମହିଳା ଥାନା ତାଙ୍କ ସ୍ବାମୀଙ୍କୁ କାଉନ୍‌ସେଲିଂ ପାଇଁ ‘ମାଧ୍ୟମ’କୁ ପଠାଇ ଦେଇଥିଲା। ହେଲେ ସେଠାରେ ମଧ୍ୟ କିଛି ଲାଭ ହୋଇନଥିଲା। ଘର ବଦଳାଇ ପ୍ରୀତି ତାଙ୍କର ଜଣେ ବାନ୍ଧବୀଙ୍କ ପାଖରେ ରହିଥିଲେ। ହେଲେ ସେଠାକୁ ବି ସ୍ବାମୀ ବାରମ୍ବାର ଆସି ଆକ୍ରମଣ କରୁଥିଲେ। ଲକ୍ଷ୍ମୀସାଗର, ମଞ୍ଚେଶ୍ବର, ମହିଳା ଥାନା, ଡିସିପି, ପୁଲିସ କମିସନର ଏଭଳି ବିଭିନ୍ନ ଜାଗାରେ ସେ ୯ରୁ ଊର୍ଦ୍ଧ୍ବ ଅଭିଯୋଗ ଦେଇ ସାରିଥିଲେ। ହେଲେ ଶେଷରେ ଉନ୍ମତ୍ତ ସ୍ବାମୀର ଆକ୍ରମଣରେ ତାଙ୍କ ପ୍ରାଣ ଚାଲିଗଲା।

ସମ୍ବନ୍ଧିତ ଖବର